ଆକ୍ସେଞ୍ଚର ଓଡ଼ିଶାର ପ୍ରଗତି ଯାତ୍ରାର ଆଉ ଏକ ସଫଳ କାହାଣୀ ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ବର୍ଷ-ବର୍ଷଧରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛି। ଆକ୍ସେଞ୍ଚର ଓଡ଼ିଶାର ପ୍ରଗତି ଯାତ୍ରାର ଆଉ ଏକ ସଫଳ କାହାଣୀ ହେବ। ଖୁସିର ବିଷୟ ଯେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଆକ୍ସେଞ୍ଚର ଏବେ ରାଜ୍ୟର କ୍ରମବର୍ଦ୍ଧମାନ ଅର୍ଥନୀତି ଦ୍ଵାରା ପ୍ରଭାବିତ ହୋଇ ଭୁବନେଶ୍ବରରେ ନିଜର ନିଜର ବୈଷୟିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛି। ଆମ ରାଜ୍ୟ ନୂତନ ଚିନ୍ତାଧାରା, ଉଦ୍ଭାବନ ଏବଂ ନୂତନ ଉଦ୍ୟୋଗକୁ ପ୍ରୋଶ୍ଚାହନ ଦେଇ ଦୃଢ଼ ଆତ୍ମବିଶ୍ୱାସର ସହ ଆଗକୁ ଆଗେଇଚାଲିଛି। ଭୁବନେଶ୍ବରରେ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି ଯେ, ମୋର ଦୃଢବିଶ୍ଵାସଯେ ନୂତନ ଉଦ୍ୟୋଗ, ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରି ଓଡ଼ିଶାର ବିକାଶ ଯାତ୍ରାରେ ଅଗ୍ରସର ହେବ। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ସେ କହିଥିଲେ, ଓଡ଼ିଶାରେ ଆକ୍ସେଞ୍ଚରର ଏହି ନୂତନ କେନ୍ଦ୍ର ରାଜ୍ୟ ସରକାରଙ୍କ ନିରନ୍ତର ପ୍ରଗତିଶୀଳ ପ୍ରୟାସର ଅନ୍ୟତମ ପ୍ରତିଫଳ।