ଟ୍ରେନ୍ ଯାତ୍ରୀଙ୍କୁ ସରକାରଙ୍କ ଉପହାର: ପାସେଞ୍ଜର ଟ୍ରେନ ଟିକେଟ ଦର କମିଲା ଅଧା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପାସେଞ୍ଜର ଟ୍ରେନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ଉପହାର ଆଣିଛନ୍ତି। ଭାରତୀୟ ରେଲୱେ ପାସେଞ୍ଜର ଟ୍ରେନ ଟିକେଟ ଦର ହ୍ରାସ କରିଛନ୍ତି। ଫଳରେ ପାସେଞ୍ଜର ଟିକେଟ ଦର କରୋନ ମହାମାରୀ ପୂର୍ବର ସ୍ଥିତିକୁ ଫେରି ଆସିଛି।ଏହି ନିଷ୍ପତ୍ତି ଦ୍ବାରା ପ୍ରତିଦିନ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ବିଶେଷ ଉପକୃତ ହେବେ। ସେମାନଙ୍କର ଆର୍ଥିକ ବୋଝ ହ୍ରାସ ପାଇବ। ଭାରତୀୟ ରେଲୱେ ପାସେଞ୍ଜର ଟ୍ରେନ ଟିକେଟ ଦର ୪୦ରୁ ୫୦ ପ୍ରତିଶତ କମ୍ କରିଛି। ପୂର୍ବରୁ ଯାତ୍ରୀଙ୍କୁ ପାସେଞ୍ଜର ଟ୍ରେନରେ ଏକ୍ସପ୍ରେସ ଟିକେଟ ଭଳି ମୂଲ୍ୟ ଦେବାକୁ ପଡୁଥିଲା।
ଭାରତୀୟ ରେଳୱେ ୨୭ ଫେବ୍ରୁଆରୀଠାରୁ ପାସେଞ୍ଜର ଟ୍ରେନ ପାଇଁ ଦ୍ବିତୀୟ ଶ୍ରେଣୀ ସାଧାରଣ ଭଡ଼ା ଆରମ୍ଭ କରିଛି। କରୋନା ମହାମାରୀ ସମୟରେ ପାସେଞ୍ଜର ଟ୍ରେନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଟକେଟ ଦର ୧୦ ଟଙ୍କାରୁ ବୃଦ୍ଧି କରି ୩୦ ଟଙ୍କା ହୋଇଥିଲା। ଯାହା ଏକ୍ସପ୍ରେସ ଟ୍ରେନ ଭଡ଼ାର ଅନୁରୂପ ଥିଲା।
ରେଳ ବିଭାଗ ପକ୍ଷରୁ ସମସ୍ତ ମେନଲାଇନ ଇଲେକ୍ଟ୍ରିକ ମଲ୍ଟିପୁଲ ୟୁନିଟ(ମେମୁ) ଟ୍ରେନର ସାଧାରଣ ଶ୍ରେଣୀର ଭଡ଼ାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ କରାଯାଇଛି।
ଅନରିଜର୍ଭ ଟିକେଟିଂ ସିଷ୍ଟମ(ୟୁଟିଏସ) ଆପରେ ମଧ୍ୟ ଭଡ଼ା ଦର ଅନୁରୂପ ଭାବେ ବଦଳାଇ ଦିଆଯାଇଛି। ଏହି ଦର ଦେଶର ସମସ୍ତ ଟ୍ରେନ ପାଇଁ ଲାଗୁହେବ ଯେଉଁ ଟ୍ରେନ ଗୁଡ଼ିକ ପୂର୍ବରୁ ପାସେଞ୍ଚର ଟ୍ରେନ ଭାବେ ବର୍ଗିକୃତ ହୋଇଥିଲା ଏବଂ ଏବେ ଦେଶରେ ଏକ୍ସପ୍ରେସ ସ୍ପେଶାଲ ବା ମେମୁ ଟ୍ରେନ ଭାବେ ଚଳାଚଳ କରୁଛି।