ସରକାରଙ୍କ ହସ୍ତକ୍ଷେପ ପରେ ମାନିଲା ଗୁଗୁଲ, ପ୍ଲେଷ୍ଟୋରକୁ ଫେରିଲା ଭାରତୀୟ ଆପ୍
ନୂଆଦିଲ୍ଲୀ: ସର୍ଭିସ ଫି ବିବାଦ କାରଣରୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିବା ଭାରତୀୟ ମୋବାଇଲ ଆପକୁ ପୁଣି ରଖିବା କରିବା ପ୍ରକ୍ରିୟା ଆରମ୍ଭ କରିଛି ଗୁଗୁଲ । ଜାତୀୟ ସ୍ତରର ଗଣମାଧ୍ୟମ ସୂତ୍ରରୁ ଏହି ସୂଚନା ମିଳିଛି। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବୈଠକ ପରେ ଗୁଗୁଲ ଭାରତୀୟ ଆପଗୁଡ଼ିକୁ ପୁଣି ସ୍ଥାନୀତ କରିବା ଆରମ୍ଭ କରିଛି ।ଗୁଗଲ ଶୁକ୍ରବାର ୧୦ଟି ଭାରତୀୟ କମ୍ପାନିର ଆପ୍ କୁ ହଟାଇ ଦେଇଥିଲା, ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ହଟାଯାଇଥିବା ଲୋକପ୍ରିୟ ଆପ ମଧ୍ୟରେ ଅଛନ୍ତି ନୌକରି ଡଟକମ, ସାଦିଡଟକମ, ଇଣ୍ଡିଆନମାଟ୍ରମୋନି, ଅଲ୍ଟବାଲାଜି, ୯୯ଏକର୍ସ, କୁକୁଏଫଏମ, ଷ୍ଟେଜ୍ ।
ଭାରତୀୟ ବଜାରରେ ଗୁଗୁଲର ଆଧିପତ୍ୟ ରହିଛି କାରଣ ଏହାର ୯୪ ପ୍ରତିଶତ ଫୋନ୍ ଏହାର ଆଣ୍ଡ୍ରଏଡ୍ ପ୍ଲାଟଫର୍ମ ଉପରେ ଆଧାରିତ।
ଏହି ବିବାଦ ମୁଖ୍ୟତଃ ଗୁଗଲର ଇନ୍-ଆପ୍ ପେମେଣ୍ଟ ପାଇଁ ୧୧ରୁ ୨୬ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କକୁ ନେଇ ରହିଛି। ଭାରତୀୟ ଷ୍ଟାର୍ଟଅପ୍ ଗୁଡ଼ିକ ଦୀର୍ଘ ଦିନ ଧରି ଏହାକୁ ଅନ୍ୟାୟ ବୋଲି ବିବେଚନା କରି ଆସୁଛନ୍ତି। ସେପଟେ ଗୁଗୁଲ୍ ତରଫରୁ କୁହାଯାଇଥିଲା ଯେ ୨ ଲକ୍ଷରୁ ଅଧିକ ଭାରତୀୟ ଆପ୍ ଡେଭଲପର୍ ଗୁଗୁଲ୍ ପ୍ଲେ ଷ୍ଟୋର୍ ବ୍ୟବହାର କରୁଛନ୍ତି। କଂପାନି ର କହିବା ଅନୁଯାୟୀ, ସମସ୍ତ ଡେଭଲପର୍ସଙ୍କ ପାଇଁ ଗୋଟିଏ ପଲିସି ରହିଛି, ସେ ବଡ଼ ଡେଭଲପର ହୁଅନ୍ତୁ କିମ୍ବା ଛୋଟ ଆପ୍ ଡେଭଲପର୍ । କିନ୍ତୁ କିଛି ଆପ୍ ଡେଭେଲପର ଅଛନ୍ତି ଯେଉଁମାନେ ବିଲିଂ ପଲିସି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ଶୁଣିନଥିଲେ। ଏହାପରେ ଆପ୍ଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା।