ନାଇରୋବିରେ ଦୁଇ ବିମାନ ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ନାଇରୋବି : ଆଫ୍ରିକୀୟ ଦେଶ କେନିଆର ରାଜଧାନୀ ନାଇରୋବିରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଆକାଶରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ନାଇରୋବି ଜାତୀୟ ଉଦ୍ୟାନରେ ଉପରେ ଏହି ବଡ଼ ଦୁର୍ଘଟଣା ଘଟିଛି। ତେବେ ଏହି ଘଟଣାରେ କେହି ମୃତ୍ୟୁବରଣ କରିନଥିବା ଜଣାଯାଇଛି
ସୂଚନା ଅନୁଯାୟୀ, ମଙ୍ଗଳବାର ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବିମାନ ଆକାଶରେ ଧକ୍କା ଖାଇଥିଲା। ଗୋଟିଏ ସଫାରିଲିଙ୍କ ଏଭିଏସନ୍ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଡ୍ୟାସ୍-୮ ବିମାନ ହୋଇଥିବାବେଳେ ଅନ୍ୟଟି ଏକ ତାଲିମ ବିମାନ ଥିଲା । ସଫାରିଲିଙ୍କ ଏଭିଏସନ୍ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଡ୍ୟାସ୍-୮ ବିମାନରେ ୫ ଜଣ କ୍ରୁ ମେମ୍ବରଙ୍କ ସମେତ ୪୪ ଜଣ ଯାତ୍ରୀ ଥିଲେ। ତାଲିମ ବିମାନରେ ୨ ଜଣ ବ୍ୟକ୍ତି ଥିଲେ । ୱିଲସନ ଏୟାରପୋର୍ଟରୁ ଉଡ଼ାଣ ଭରିବାର କିଛି ସମୟ ପରେ କ୍ରୁ ସଦସ୍ୟ ମାନେ ପ୍ରବଳ ଶବ୍ଦ ଶୁଣିବାକୁ ପାଇଥିଲେ । ତେବେ ବିମାନଟି ଜରୁରୀକାଳୀନ ଅବତରଣ କରିବାରେ ସଫଳ ହୋଇଥିଲା । କିନ୍ତୁ ଅନ୍ୟ ବିମାନଟି କ୍ଷତିଗ୍ରସ୍ତ ହୋଇଛି ।
ସଫାରିଲିଙ୍କ ଏଭିଏସନ୍ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି। କମ୍ପାନି ତରଫରୁ କୁହାଯାଇଛି ଯେ ତାଙ୍କର କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ବିମାନ-୦୫୩ରେ ସ୍ଥାନୀୟ ସମୟ ସକାଳ ୯ଟା ୪୫ରେ ଉଡ଼ାଣ ଭରିଥିଲା ଓ ସେଥିରେ ୩୯ ଜଣ ଯାତ୍ରୀ ଓ ୫ ଜଣ କର୍ମଚାରୀ ଥିଲେ। ସେମାନେ ଡିଆନି ଅଭିମୁଖେ ଯାଉଥିଲେ, କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ପ୍ରବଳ ଧକ୍କା ହୋଇଥିଲା। ‘