ମୋଦି ଗ୍ୟାରେଣ୍ଟି ସମାବେଶରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୫ ।୩(ପି.ଏନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସି ଫେରି ଯାଇଛନ୍ତି । ଏହି ଅବସରରେ ଚଣ୍ଡିଖୋଲ ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ ‘ମୋଦିଙ୍କ ଗ୍ୟାରେଣ୍ଟି ସମାବେଶ’ରେ ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆଜି ଦେଶରେ ଅନେକ ବିକାଶ କାର୍ଯ୍ୟ ହେଉଛି । ଏହା ପୂର୍ବରୁ ବି ହୋଇପାରିଥା’ନ୍ତା । କିନ୍ତୁ ୨୦୧୪ ପୂର୍ବରୁ ବର୍ଷ ବର୍ଷ ଧରି ସରକାରରେ ଥିବା କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡିକର ପୂରା ଧ୍ୟାନ କେବଳ ନିଜ ସିନ୍ଦୁକରେ ଟଙ୍କା ଭରିବା ଉପରେ ରହିଥିଲା । ଯେଉଁ କଂଗ୍ରେସ ସରକାର କୋଇଲାକୁ ଲୁଟି ଖାଇଯାଏ, ସେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଦେବା କଥା କେମିତି ଚିନ୍ତା କରିପାରିବ । ଯେଉଁ କଂଗ୍ରେସ ସରକାର ୟୁରିଆରେ ଘୋଟାଲା କରେ, ସେ କୃଷକମାନଙ୍କୁ ଶସ୍ତାରେ ୟୁରିଆ କେମିତି ଯୋଗାଇଥା’ନ୍ତା । ଯେଉଁ କଂଗ୍ରେସ ସରକାର ନିଯୁକ୍ତିରେ ବି ଘୋଟାଲା କରେ, ସେ ଦେଶର ଯୁବକଯୁବତୀ ମାନଙ୍କୁ କେମିତି ଚାକିରି ଦେଇଥା’ନ୍ତା ।
ସେ କହିଥିଲେ, ଦେଶ ସ୍ୱାଧୀନ ହେବା ପରଠୁ ହିଁ କଂଗ୍ରେସ ଦେଶରେ ଏମିତି ସବୁ ବ୍ୟବସ୍ଥା ତିଆରି କଲା, ଯେଉଁଥିରେ ଗରିବ, ଯୁବ ପିଢ଼ି ଓ ଆଦିବାସୀଙ୍କ ଉପରେ ଅବିଶ୍ୱାସ ଜନ୍ମ ହେବ । ଗରିବମାନେ କଂଗ୍ରେସ ସରକାର ପାଖକୁ ଯେକୌଣସି ପ୍ରକାର ସହାୟତା ପାଇଁ ଗଲେ, ସେମାନଙ୍କୁ ଗ୍ୟାରେଣ୍ଟି ମଗା ଯାଉଥିଲା । ସେତେବେଳେ ସମସ୍ତଙ୍କୁ ଗ୍ୟାରେଣ୍ଟି ମଗାଯାଉଥିଲା । ବ୍ୟାଙ୍କରେ ଖାତା ଖୋଲିବା ପାଇଁ କଂଗ୍ରେସ ଗ୍ୟାରେଣ୍ଟି ମାଗୁଥିଲା । ସ୍ୱାବଲମ୍ବୀ ହେବା ପାଇଁ ବ୍ୟାଙ୍କରୁ ଋଣ ମାଗିବାକୁ ଗଲେ ଗ୍ୟାରେଣ୍ଟି ମାଗୁଥିଲା କଂଗ୍ରେସ । ଚାକିରି ପାଇଁ ଆବେଦନ କଲେ କୌଣସି ଅଫିସରଙ୍କ ଠାରୁ ଗ୍ୟାରେଣ୍ଟି ଆଣ ବୋଲି କୁହାଯାଉଥିଲା । କିନ୍ତୁ ୨୦୧୪ ପରେ ଜଣେ ଗରିବ ଲୋକର ପୁଅ କେନ୍ଦ୍ର ସରକାରକୁ ଆସିଲା । ଆଉ ଯେତେବେଳେ ଜଣେ ଗରିବର ପୁଅ ପ୍ରଧାନମନ୍ତ୍ରୀ ହୋଇଗଲା, ସେ କହିଲା- ମୋଦି ହେବ ଗରିବର ସବୁଠୁ ବଡ ଗ୍ୟାରେଣ୍ଟି । ଉକ୍ତ ସମାବେଶରେ ରାଜ୍ୟ ସଭାପତି ମନମୋନହ ସାମଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି କେନ୍ଦ୍ରୀୟ ଓଡ଼ିଶା ପ୍ରଭାରୀ ବିଜୟପାଲସିଂ ତୋମର , ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତଥା ଅନ୍ୟାନ୍ୟ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ସଭାଶେଷରେ ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ଧନ୍ୟବାଦ ଅର୍ପଣ କରିଥିଲେ