ମାର୍ଚ୍ଚ ୧୧ରୁ ୧୬ ସାହିତ୍ୟ ଅକାଦେମିର ବାର୍ଷିକୋତ୍ସବ ସାହିତ୍ୟୋତ୍ସବ ୨୦୨୪ଯୋଗଦେବେ ୧୭୫ଟି ଭାଷାର୧୧ଶହରୁ ଊଦ୍ଧ୍ୱର୍ ଲେଖକସମ୍ବତ୍ସର ବକ୍ତୃତା ପ୍ରଦାନ କରିବେ ପ୍ରଖ୍ୟାତ କବି ଗୁଲଜାରଓଡ଼ିଶାରୁ ଯୋଗ ଦେବେ ପଚାଶରୁ ଅଧିକ ଲେଖକ
ଚଳିତ ବର୍ଷ ସତୁରି ବର୍ଷରେ ପଦାର୍ପଣ କରିଛି କେନ୍ଦ୍ର ସାହିତ୍ୟ ଏକାଡେମୀ । ଏହି ଅବସରରେ ନୂଆଦିଲ୍ଲୀର ଫିରୋଜଶାହ ମାର୍ଗ ସ୍ଥିତ ରବିନ୍ଦ୍ର ଭବନ ପରିସରରେ ମହାସମାରୋହରେ ଆୟୋଜିତ ହେଉଛି ଏକାଡେମୀର ବାର୍ଷିକ ଉତ୍ସବ “ସାହିତ୍ୟୋତ୍ସବ ୨୦୨୪”। ଏହି ମହୋତ୍ସବ ବିଶ୍ୱର ସର୍ବବୃହତ୍ ସାହିତ୍ୟ ଉତ୍ସବ ଭାବରେ ପରିଗଣିତ ହେବ ବୋଲି କୁହାଯାଉଛି । ଇତି ମଧ୍ୟରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ଯେ, ସାହିତ୍ୟୋତ୍ସବ ୨୦୨୪ରେ ୧୭୫ଟି ଭାଷାର ୧୧ ଶହରୁ ଅଧିକ ଲେଖକ ଲେଖିକା ଯୋଗ ଦେବେ । ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇ ଏହା ୧୬ ତାରିଖରେ ଶେଷ ହେବ । ଏଥିରେ ମୋଟ ୧୯୦ଟି ଅଧିବେଶନରେ ବିଭିନ୍ନ ପ୍ରକାର ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍ସବର ପ୍ରଥମ ଦିନ ସାହିତ୍ୟ ଏକାଡେମୀର କାର୍ଯ୍ୟକଳାପକୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଉଦ୍ଘାଟିତ ହେବ । ମାର୍ଚ୍ଚ ୧୨ ତାରିଖ ସନ୍ଧ୍ୟାରେ କମାନି ପ୍ରେକ୍ଷାଳୟରେ ୨୦୨୩ ମସିହାର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ । ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବିଖ୍ୟାତ ଓଡ଼ିଆ ଔପନ୍ୟାସିକା ଡକ୍ଟର ପ୍ରତିଭା ରାୟ । ସେହିପରି ୧୩ ତାରିଖ ସନ୍ଧ୍ୟାରେ ମେଘଦୂତ ମୁକ୍ତାକାଶ ମଂଚରେ ସମ୍ବତ୍ସର ବକ୍ତୃତା ପ୍ରଦାନ କରିବେ ପ୍ରଖ୍ୟାତ କବି ଏବଂ ଗୀତିକାର ଗୁଲଜାର ।
୧୧ ମାର୍ଚ୍ଚରେ ଏକାଡେମୀର ମହତ୍ତର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏହା ବ୍ୟତୀତ ବହୁଭାଷୀ କବିତା ପାଠ, କ୍ଷୁଦ୍ରଗଳ୍ପ ପାଠ, ଯୁବ ସାହିତି, ଅସ୍ମିତା, ପୂର୍ବୋତ୍ତରୀ, ଭାରତୀୟ ଭକ୍ତି ସାହିତ୍ୟ ଶୀର୍ଷକ ଆଲୋଚନାଚକ୍ର, ଭାରତୀୟ ଶିଶୁ ସାହିତ୍ୟ, ମାତୃଭାଷାର ମହତ୍ତ୍ୱ, ଆଦିବାସୀ ଲେଖକ ସମ୍ମିଳନୀ, ଭବିଷ୍ୟତର ଉପନ୍ୟାସ, ନାଟକ ଓ ସାଂସ୍କୃତିକ ପରିପ୍ରକାଶ ଆଦି ଅଧିବେଶନ ରହିଛି । ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ରର ବିଷୟବସ୍ତୁ ହେଉଛି ଭାରତର ସାଂସ୍କୃତିକ ଐତିହ୍ୟ, ଭାରତୀୟ ଭାଷାରେ ବିଜ୍ଞାନ କାହାଣୀ, ଭାରତୀୟ ସାହିତ୍ୟରେ ଜୀବନୀ ରଚନା, ସାହିତ୍ୟ ଓ ସାମାଜିକ ଆନ୍ଦୋଳନ, ବିଦେଶରେ ଭାରତୀୟ ସାହିତ୍ୟ ଇତ୍ୟାଦି । ଚଳିତ ବର୍ଷର ଜାତୀୟ ସଂପାନର ବିଷୟ ହେଉଛି ‘ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ସାହିତ୍ୟ’ । ଏହା ବ୍ୟତୀତ ଦିବ୍ୟାଙ୍ଗ ଲେଖକ ସମ୍ମିଳନୀ ଏବଂ ଏଲଜିବିଟିକିଉ ଲେଖକ ସମ୍ମଳନୀ ମଧ୍ୟ ଆୟୋଜିତ ହେବ । ହଜାରେରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, କୁଇଜ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଅବସରରରେ ରାଜଶ୍ରୀ ୱାରିୟରଙ୍କ ଭାରତନାଟ୍ୟମ ଏବଂ ନାଟକ ‘ସମ୍ରାଟ ଅଶୋକ’ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ଏଥର ସାହିତ୍ୟୋତ୍ସବରେ ଯୋଗ ଦେଉଥିବା ବିଶିଷ୍ଟ ଲେଖକ ଲେଖିକାଙ୍କ ମଧ୍ୟରେ ଅଛନ୍ତି ଏସ.ଏଲ. ଭୈରପ୍ପା, ଚନ୍ଦ୍ରଶେଖର କମ୍ବର, ପଲ ଜାକାରିଆ, ଆବିଦ ସୁରତି, କେ. ସଚିଦାନନ୍ଦନ, ଚିତ୍ରା ମୁଦଗଲ, ଏଚଏସ ଶିବପ୍ରକାଶ, ସଚିନ କେତକର, ନମିତା ଗୋଖଲେ, କୁଳ ସାଇକିଆ, ୱାଇଡି ଥୋଙ୍ଗଚି, ମାଲାଶ୍ରୀ ଲାଲ, କପିଲ କପୁର, ଅରୁନ୍ଧତୀ ସୁବ୍ରମଣ୍ୟମ, ରକ୍ଷନ୍ଦା ଜଲିଲ, ରାଣା ନାୟାର, ବର୍ଷା ଦାସ, ସୁଧା ଶେଷାୟନ, ଉଦୟ ନାରାୟଣ ସିଂହ, ଅରୁଣ ଖୋପକର, ଶୀନ କାଫ ନିଜାମ ପ୍ରମୁଖ । ଏହି ଉତ୍ସବରେ କେରଳର ରାଜ୍ୟପାଳ ଶ୍ରୀ ଅରିଫ ମୋହମ୍ମଦ ଖାନ, ଛତିଶଗଡ଼ର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ସି.ଭି. ଆନନ୍ଦ ବୋଷ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବେ । ସୂଚନାଯୋଗ୍ୟ ଯେ ଏଥର ଓଡ଼ିଶାରୁ ପଚାଶରୁ ଅଧିକ ସଂଖ୍ୟକ ଲେଖକ ଲେଖିକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।