ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ: ମନମୋହନ ସାମଲ
ଭୁବନେଶ୍ବର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ନୂଆଦିଲ୍ଲୀରୁ ଫେରିଲା ପରେ ଭୁବନେଶ୍ବରରେ ଶ୍ରୀ ସାମଲ ସାମ୍ବାଦିକମାନଙ୍କୁ କହିଛନ୍ତି, ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକାକୀ ଲଢ଼ିବ ବୋଲି ପୁଣି ଦୋହରାଇଛନ୍ତି। ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ। ବିଜେପି କିଭଳି ସରକାର ଗଢ଼ିବ, ସେଥି ନେଇ କେନ୍ଦ୍ରୀୟ ନେତାଙ୍କ ସହିତ ଆଲୋଚନା ହୋଇଛି।ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ଗୁରୁବାର ଅପରାହ୍ଣରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ନେତାଙ୍କର ବୈଠକ ହୋଇଥିଲା। ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ ବିଜେପିର କୋର କମିଟି ବୈଠକ ହୋଇଥିଲା, ଯେଉଁଥିରେ କି ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ମନମୋହନ ସାମଲ ପ୍ରମୁଖ ସାମିଲ ଥିଲେ। ଏହି ଦୁଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କିନ୍ତୁ ପ୍ରଥମ ଦିନର ବୈଠକ ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଗଣମାଧ୍ୟମକୁ କହିଥିଲେ ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି। ଆମେ ଏକା ଲଢ଼ିବୁ ବୋଲି ଆମେ ଆମର ମତ ଦେଇଛୁ। କିନ୍ତୁ ମେଣ୍ଟ ନେଇ କେନ୍ଦ୍ର ନିଷ୍ପତ୍ତି ନେବ।