ଦେଶ- ବିଦେଶ

ଭାଙ୍ଗିଯିବ କି ଶେହବାଜ ସରିଫଙ୍କ ସରକାର ? ଇମ୍ରାନଙ୍କ ଦାବି ପରେ ତେଜିଲା ରାଜନୀତି

ଇସ୍ଲାମାବାଦ : ବେଶ କିଛି ଦିନ ଧରି ଅନିଶ୍ଚିତତା ରହିବା ପରେ ଚଳିତ ମାସରେ ହିଁ ପାକିସ୍ତାନରେ ନୂଆ ସରକାର ଗଠନ ହୋଇଛି। ପାକିସ୍ତାନ ମୁସଲିମ୍ ଲିଗ୍ (ଏମ୍)ର ଶେହବାଜ ସରିଫ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର ଗଠନ ହେବାର ମାସେ ବିତିନଥିବା ବେଳେ ଖୁବଶୀଘ୍ର ସରକାର ଭାଙ୍ଗିପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଛି । ପାକିସ୍ତାନ ତେହରିକ-ଏ-ଇନସାଫ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ପାକିସ୍ତାନରେ ଶେହବାଜ ସରକାରଙ୍କ ପତନକୁ ନେଇ ବଡ଼ ଦାବି କରିଛନ୍ତି । ଏହାବ୍ୟତୀତ ସେ ଜେଲରୁ ମୁକୁଳିବା କଥା ବି କହିଛନ୍ତି ।

ଇମ୍ରାନ୍ ଖାଁ କହିଛନ୍ତି ଯେ ତାଙ୍କ ବିରୋଧରେ ଚାଲିଥିବା ମାମଲା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିସହ ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ ସେ କହିଛନ୍ତି ଯେ ସରକାରୀ ରାଜକୋଷର କୌଣସି କ୍ଷତି ହୋଇନାହିଁ। ବର୍ତ୍ତମାନର ସରକାର ପାକିସ୍ତାନର ସ୍ଥିତିକୁ ଆହୁରି ଖରାପ କରିଦେବେ ବୋଲି ସେ କହିଛନ୍ତି। ଏହି ସରକାର ପାଇଁ ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ ଦେଶରେ ଆତଙ୍କବାଦ ଆହୁରି ବୃଦ୍ଧି ପାଇବ ।

ସେପଟେ ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଦିନକୁ ଦିନ ଶେଷ ହେବାରେ ଲାଗିଛି ଓ ଋଣଭାର ବଢିଚାଲିଛି । ଏଭଳି ସ୍ଥିତିରେ ଦେଶକୁ ଟ୍ରାକ୍କୁ ଫେରାଇ ଆଣିବା ଶେହବାଜ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇପାରେ।

Leave a Reply

Your email address will not be published. Required fields are marked *