ତିହାର ଜେଲ୍ରୁ ଦିଲ୍ଲୀ ଶାସନ କରି ପାରିବେ କି କେଜ୍ରିୱାଲ, କ’ଣ କହୁଛି ଜେଲ୍ ମାନୁଆଲ ?
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ତାଙ୍କୁ ତିହାର ଜେଲରେ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଏହାପରେ କୋର୍ଟରେ ତାଙ୍କ ଜାମିନ ଉପରେ ବିଚାର କରାଯିବ। ଏପରିସ୍ଥଳେ ବଡ଼ ପ୍ରଶ୍ନ ରାଜନୈତିକ ମହଲରେ ସୃଷ୍ଟି ହେଉଛି ଯେ,ତିହାର ଜେଲ୍ରୁ କେଜିୱାଲ ଦିଲ୍ଲୀ ଶାସନ କରି ପାରିବେ କି? ଏନେଇ ଜେଲ୍ ମାନୁଆଲ୍ କ’ଣ କହୁଛି ?ତିହାର ଜେଲ୍ ମାନୁଆଲ ଏବଂ ଦିଲ୍ଲୀ ପ୍ରିଜନ ଆକ୍ଟ ୨୦୦୦ ଅନୁସାରେ କେଜ୍ରିୱାଲ ଜେଲ୍ରେ ରହି ମଧ୍ୟ ଶାସନ ଡୋର ଧରିପାରିବେ। ତେବେ ଏନେଇ କୋର୍ଟ ଏବଂ ଉପ ରାଜ୍ୟପାଳଙ୍କ ଠାରୁ ଅନୁମତି ମିଳିବା ଆବଶ୍ୟକ। ଉପ ରାଜ୍ୟପାଳ ଭି.କେ. ସାକ୍ସସେନା ପୂର୍ବରୁ ରୋକ୍ଠୋକ୍ କହି ସାରିଛନ୍ତି ଯେ, ଜେଲ୍ରୁ ଦିଲ୍ଲୀ ଶାସନ କରିହେବ ନାହିଁ। ତେଣୁ କେଜ୍ରିୱାଲଙ୍କ ପାଇଁ ଜେଲ୍ରୁ ସରକାର ଚଳାଇବା କଷ୍ଟକର ହେବ।ତିହାର ଜେଲ୍ ଅନୁସାରେ କୌଣସି କାର୍ଯ୍ୟ ପାଇଁ ପ୍ରଥମେ କେଜ୍ରିୱାଲଙ୍କୁ କୋର୍ଟରୁ ଅନୁମତି ନେବାକୁ ପଡ଼ିବ। ଏନେଇ କେଜ୍ରିୱାଲ ନିଜ ଓକିଲଙ୍କ ମାଧ୍ୟମରେ କୋର୍ଟରୁ ଅନୁମତି ଲୋଡ଼ି ପାରିବେ। ଏହା ସମ୍ପୁର୍ଣ୍ଣ କୋର୍ଟଙ୍କ ଉପରେ ନିର୍ଭର କରିବ ସେ ତାଙ୍କୁ କୌଣସି ଫାଇଲ୍ରେ ଦସ୍ତଖତ କରିବାକୁ ଅନୁମତି ଦେବେ ନା ନାହିଁ।ଏପରି ହେଲେ କେଜ୍ରିୱାଲଙ୍କୁ ଜେଲ୍ର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଫୋନ୍,ଇଣ୍ଟରନେଟ୍, ଟିଭି ଆଦି ସୁବିଧା ଦେବାକୁ ପଡ଼ିବ। ଅନ୍ୟ କଏଦୀଙ୍କ ଭଳି କେଜ୍ରିୱାଲଙ୍କ ଦିନ ସାଢ଼େ ୬ରୁ ଆରମ୍ଭ ହେବ। ଏହାପରେ ତାଙ୍କୁ ଜଳଖିଆ ଭାବେ ଚା’ ଏବଂ ବ୍ରେଡ୍ ଦିଆଯିବ। ଏହା ପରେ ସେ ଆଇନଜୀବୀଙ୍କ ସହିତ ମିଟିଂ କରି ପାରିବେ। ଲଞ୍ଚ୍ ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୧ ମଧ୍ୟରେ ଦିଆଯିବ। ଏହା ପରେ ତାଙ୍କୁ ନିଜ ସେଲ୍ରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହିବାକୁ ହେବ। ଏହା ପରେ ଅପରାହ୍ନ ସାଢ଼େ ୩ଟାରେ ଜଳଖିଆ ଦିଆଯିବ। ସନ୍ଧ୍ୟା ସାଢ଼େ ୫ଟାରେ ରାତ୍ରୀଭୋଜନ ଦିଆଯିବ। ଏହାପରେ ସନ୍ଧ୍ୟା ୭ ସୁଦ୍ଧା କଏଦୀଙ୍କୁ ନିଜ ନିଜ ସେଲ୍ରେ ରଖାଯିବ।ସ୍ବତନ୍ତ୍ର ଅନୁମତି ଅନ୍ତର୍ଗତ କେଜ୍ରିୱାଲଙ୍କୁ ଜେଲ୍ରେ ଟିଭି ଦେଖିବାକୁ ଅନୁମତି ମିଳିବ। ସେ ସମାଚାର, ମନୋରଞ୍ଜନ ଏବଂ ଖେଳ ସହିତ ୧୮ରୁ ୨୦ ଚ୍ୟାନେଲ୍ ଦେଖି ପାରିବେ। ସେ ଡାଇବେଟିସ୍ରେ ପୀଡ଼ିତ। ଏହା ଅନ୍ତର୍ଗତ ତାଙ୍କ ଓକିଲ ସ୍ବତନ୍ତ୍ର ଡାଏଟ୍ ପାଇଁ ଅନୁରୋଧ କରିଛନ୍ତି। କେଜ୍ରିୱାଲଙ୍କୁ ସପ୍ତାହରେ ଦୁଇଥର ନିଜ ପରିବାର ସଦସ୍ୟଙ୍କ ସହ ସାକ୍ଷାତ୍ ମଧ୍ୟ କରି ପାରିବେ।