ରାଜ୍ୟ

ମାଲକାନଗିରି ତାପମାତ୍ରା 45 ଡିଗ୍ରୀ ଛୁଇଲା

ମାଲକାନଗିରି – ଗତ କିଛିଦିନ ହେବ ସମଗ୍ର ମାଲକାନଗିରି ଜିଲ୍ଲାରେ ନିଆଁ ବର୍ଷା ହେଉଛି, ସତେ ଯେମିତି ସୂର୍ଯ୍ୟ ଦେବତା କୋପ କରିଛନ୍ତି। ଗତ ୪ ଦିନ ହେଲା ଜିଲ୍ଲାରେ ଲଗାତାର ଭାବେ ତାପମାତ୍ରା ୪୧ ରୁ ୪୨ ଡିଗ୍ରୀ ରହୁଛି। ଆଜି ମାଲକାନଗିରି ଜିଲ୍ଲାରେ ତାପମାତ୍ରା ଗୁଗଲ ୱେଦର ଆପ୍‌ରେ ୪୫ଡିଗ୍ରୀ ବୃଦ୍ଧି ପାଇ ଥିବାର ଦେଖିବାକୁ ମିଳିଛି।

ଆଜି ମଧ୍ୟ ଅନ୍ୟ ଦିନ ତୁଳନାରେ ପ୍ରବଳ ଖରା ସାଙ୍ଗକୁ ଗରମ ଆସହ୍ୟ ହୋଇ ପଡିଥିଲା। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ଅତ୍ୟଧିକ ହେବାରୁ ଦିନ ୧୧ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ସାଙ୍ଗକୁ, ଦୋକାନ ବଜାର ବନ୍ଦ ହୋଇ ଯାଇଥିଲା।

ତାପମାତ୍ରା ବଢି ଚାଲି ଥିବା ବେଳେ ଜିଲ୍ଲାରେ ଉତ୍କଟ ପାନୀୟ ଜଳସଙ୍କଟ ଦେଖା ଦେଇଛି। ମାର୍ଚ୍ଚ ମାସରୁ ପ୍ରବଳ ଖରା ଆରମ୍ଭ ହୋଇ ଯାଇଛି। ସମଗ୍ର ଜିଲ୍ଲରେ ସହର ଠାରୁ ଗାଁ ଗାଁରେ ଜଳ ସମସ୍ୟା ସାଙ୍ଗକୁ ପାନୀୟଜଳର ସଙ୍କଟ ଦେଖା ଦେଇଛି। ଜିଲ୍ଲାଜଳ ଓ ପରିମଳ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କାଲିମେଳା, ମାଲକାନଗିରି, ମାଥିଲି, ଖଇରପୁଟ, ଚିତ୍ରକୋଣ୍ଡା, କୋରକୁଣ୍ଡା,ପଡିଆ ସାତଟି ବ୍ଳକର ୭୨୦ ଟି ଗ୍ରାମବାସୀଙ୍କ ପାଇଁ ୧୧୬୬.୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦ଟି ମେଗା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ।

ନିର୍ମାଣ କାମ ଓଡିଶା ବାହାର ରାଜ୍ୟ ବମ୍ବେର ଜେଏମସି ନାମକ ଏକ କମ୍ପାନୀକୁ ରାଜ୍ୟ ସରକାର ଟେଣ୍ଡର ଦେଇ ଥିବାରୁ ସେ ନିର୍ମାଣ କାମରେ ମନ୍ଥରତା କରୁଛି। ଅନେକ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ଅବଧି ସରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରି ନଥିବାରୁ ଗ୍ରାମବାସୀ ମାନେ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇପାରୁ ନାହାନ୍ତି ।

ମେଗା ପ୍ରକଳ୍ପ ଗୁଡିକର କାର୍ଯ୍ୟ ତୁରନ୍ତ ସାରିବା ପାଇଁ କାର୍ଯ୍ୟ କରୁଥିବା ସଂପୃକ୍ତ କମ୍ପାନୀକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି। ଗ୍ରୀଷ୍ମଋତୁ ଆଗରୁ ମାଲକାନଗିରି ଜିଲ୍ଲାରେ ଅଚଳ ହୋଇଥିବା ସମସ୍ତ ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ ବୋଲି ଜିଲ୍ଲା ପରିମଳ ଓ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ ସୁପରିଟେଣ୍ଡେ ଇଂଜିନିୟର ଜନକ କୁମାର ବଳବନ୍ତରାୟ ସୂଚନା ଦେଇଛନ୍ତି।

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *