ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ । ବିଜେପି ଓ କଂଗ୍ରେସର ଗତ ନିର୍ବାଚନ ପ୍ରାର୍ଥୀ ରିପିଟ । ବିଜେଡିର ଖେଳିଛି ମହିଳା କାର୍ଡ ।
ଭବାନୀପାଟଣା: ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନ ମଣ୍ଡଳୀ । ଚଳିତ ନିର୍ବାଚନକୁ ନେଇ ଭବାନୀପାଟଣାରେ ରାଜନୈତିକ ପାଣିପାଗ ସରଗରମ ରହିଛି । ଭାରତୀୟ ଜନତା ପାର୍ଟୀର ପ୍ରଦୀପ୍ତ ନାଏକ ବର୍ତ୍ତମାନ ଏଠାରେ ବିଧାୟକ ରହିଛନ୍ତି । ଚଳିତ ନିର୍ବାଚନ ପାଇଁ ପୁଣିଥରେ ପ୍ରଦୀପ୍ତଙ୍କ ଉପରେ ଭରସା କରି ଟିକେଟ ଦେଇଛି ବିଜେପି । ସେପଟେ ପ୍ରଦୀପ୍ତଙ୍କୁ ଟକ୍କର ଦେବା ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ଏଠାରେ ଲଲିତା ନାଏକଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଗତ ନିର୍ବାଚନରେ କଂଗ୍ରେସରୁ ଲଢି ପରାଜିତ ହୋଇଥିବା ସାଗର ଦାସଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଦଳ । ତେବେ ଏଥର ନିର୍ବାଚନରେ ତ୍ରିମୂଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି ବିଜେଡି ଖେଳିଲା ମହିଳା କାର୍ଡ:- ଚଳିତ ନିର୍ବାଚନ ପାଇଁ ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ପକ୍ଷରୁ ଏଥର ମହିଳାଙ୍କୁ ପ୍ରାର୍ଥୀ କରା ଯାଇଥିବା ବେଳେ ଲଳିତା ନାଏକ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ବିକାଶ ରେକର୍ଡକୁ ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଅନେକ ବିକାଶ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ହୋଇ ପାରିଛି । ଭବାନୀପାଟଣା ଠାରେ ମେଡିକାଲ କଲେଜ୍, ପଲିଟେକନିକ୍ କଲେଜ୍, ଇଞ୍ଜିିୟରିଙ୍ଗ୍ କଲେଜ୍, କୃଷି ମହାବିଦ୍ୟାଳୟ ଓ ମାଣିକେଶରୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଉତ୍କେଲା ଠାରେ ବିମାନ ବନ୍ଦର ନିର୍ମାଣ ହୋଇଛି । ସେହିପରି କେସିଙ୍ଗା ଓ ଭବାନୀପାଟଣା ଠାରେ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ହୋଇଛି । ଏହାସହ ପ୍ରତ୍ୟେକ ଗାଁକୁ ରାସ୍ତା ବିଜୁଳି ପାନୀୟ ଜଳ ସମେତ ସମସ୍ତ ସ୍କୁଲ ଓ କଲେଜର ରୂପାନ୍ତିକରଣ ହୋଇଛି କହି ଭୋଟରମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ଲାଗିଛି ବିଜେଡି ।
ଭବାନୀପାଟଣା ନିର୍ବାଚନ ମଣ୍ଡଳୀ
ବିଜେପି ଓ କଂଗ୍ରେସର ଗତ ନିର୍ବାଚନ ପ୍ରାର୍ଥୀ ରିପିଟ:- ବରିଷ୍ଠ ବିଜେପି ନେତା ତଥା ଭବାନୀପାଟଣାର ବର୍ତ୍ତମାନର ବିଧାୟକ ପ୍ରଦୀପ୍ତ ନାଏକ ପୁଣିଥରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପୁଣି ଥରେ ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଚରଣ ଦାସଙ୍କୁ ପ୍ରାର୍ଥୀ କରିଛି । ବିଜେଡି ପ୍ରାର୍ଥିନୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେକର୍ଡକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ସେପଟେ ବିଜେପି ଓ କଂଗ୍ରେସ କେସିଙ୍ଗା ଠାରେ ଥିବା କୋଣାର୍କ ସ୍ପିନି ଓ ଜିନିଁ ମିଲର ପୁନଃ ଉଦ୍ଧାର ସହ ମହିଳା ଓ ବେକାରୀ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ରାଜନୀତି ମୈଦାନକୁ ଓହ୍ଲାଇଛି । ସେପଟେ ଭବାନୀପାଟଣାରେ ବିକାଶ କରିବା ପାଇଁ ଯେଉଁ ନେତା କାର୍ଯ୍ୟ କରିବେ ସେମାନଙ୍କୁ ହିଁ ନିଜର ନେତା ଭାବରେ ନିର୍ବାଚିତ କରିବେ ବୋଲି କହିଛନ୍ତି ସାଧାରଣ ଜନତା ।
ଭବାନୀପାଟଣା ବିଧାନସଭା ଆସନ:- ତେବେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନ ମଣ୍ଡଳୀ, ପଶ୍ଚିମ ଓଡ଼ିଶାର ଏହା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରି ବିଗତ ଦିନରେ ନେତା ଜାତୀୟ ଓ ରାଜ୍ୟ ସ୍ତରରେ ଚର୍ଚ୍ଚାର ରହି ଅନେକ ବଡ଼ ବଡ଼ ପଦବୀରେ ରହିଆସିଛନ୍ତି । କେସିଙ୍ଗା ବ୍ଲକର ୧୭ଟି ପଞ୍ଚାୟତ ଓ ଭବାନୀପାଟଣା ବ୍ଲକର ୨୮ଟି ପଞ୍ଚାୟତ ସମେତ ଗୋଟିଏ ଏନଏସି ଓ ଗୋଟିଏ ପୌର ପରିଷଦକୁ ମିଶାଇ ଗଠିତ ହୋଇଛି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୧୭ ହଜାର ୫୭୭ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ଲକ୍ଷ ୧୬ ହଜାର ୧୦୧ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ତୃତୀୟ ଲିଙ୍ଗି ଭୋଟର ୨୦ ଜଣ ରହିଥିବା ବେଳେ ନୂଆ ଭୋଟର ୩୪୮ ଜଣ ରହିଛନ୍ତି