ପୁଲିସ ନିଷ୍କ୍ରିୟତା ବିରୋଧରେ ସଂଯୁକ୍ତା ମହଲାଙ୍କ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ
କଟକ: ପୁଲିସ ନିଷ୍କ୍ରିୟତା ବିରୋଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଦାୟର କରିଥିବା ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମହିଳା ଥାନାରେ ରୁଜୁ ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ କରାଯାଉ ନାହିଁ ବୋଲି ସେ ଅଭିଯୋଗ କରିଥିଲେ। ପୂର୍ବରୁ ସମାନ ପ୍ରସଂଗ ନେଇ ସଂଯୁକ୍ତା ହାଇକୋର୍ଟରେ ମାମଲା ଦାୟର କରିଥିଲେ। ୨୦୨୩, ନଭେମ୍ବର ୧ରେ ମାମଲାର ଶୁଣାଣି ସମୟରେ ତଦନ୍ତ ପ୍ରାରମ୍ଭିକ ଅବସ୍ଥାରେ ରହିଛି ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଦର୍ଶାଇଥିଲେ। ଏଭଳି ସ୍ଥିତିରେ ହାଇକୋର୍ଟ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏଥି ସହିତ ଯଦି କିଛି ଅଭିଯୋଗ ରୁହେ ତେବେ ଆବେଦନକାରୀ ପରବର୍ତ୍ତୀ ସମୟରେ ପୁଣି ମାମଲା ଦାୟର କରି ପାରିବେ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ପୁଣି ଗତ ମାର୍ଚ୍ଚରେ ସଂଯୁକ୍ତା ହାଇକୋର୍ଟରେ ମାମଲା ଦାୟର କରିଥିଲେ। ମାମଲାର ତଦନ୍ତ ଚାଲିଛି ବୋଲି ଆଜି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଯଦି ତଦନ୍ତର ଫଳାଫଳକୁ ନେଇ ଆବେଦନକାରୀ ସନ୍ତୁଷ୍ଟ ନ ହୁଅନ୍ତି ତେବେ ଭବିଷ୍ୟତରେ ସେ ଆଇନ୍ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଯୁକ୍ତାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ସେହିପରି ଦୁଇ ଜଣ ତଥା କଥିତ ସାମ୍ବାଦିକ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗକୁ ନେଇ ସଂଯୁକ୍ତା ଦାୟର କରିଥିବା ଅନ୍ୟ ଏକ ମାମଲାରେ ମଧ୍ୟ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଏହି ମାମଲାରେ କଣ ସ୍ଥିତି ରହିଛି ସେ ନେଇ ଅବଗତ କରିବାକୁ ଗତ ଏପ୍ରିଲ ୬ରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ମାମଲାର ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ପୁଲିସ ନିକଟରେ ଏ ନେଇ ଏତଲା ରୁଜୁ ହୋଇ ନାହିଁ। ଏଭଳି ସ୍ଥିତିରେ ହାଇକୋର୍ଟ ସଂଯୁକ୍ତାଙ୍କ ଆବେଦନର ଶୁଣାଣିରେ ଅନ୍ତ ଘଟାଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ସଂଯୁକ୍ତା ଗତ ବର୍ଷ ଏତଲା ଦେଇଥିଲେ। ଶ୍ରୀକାନ୍ତଙ୍କ ବିରୋଧରେ ଶରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ନେଇ ସେ ଅଭିଯୋଗ କରିଥିଲେ।