ରାଜ୍ୟ

କାଳବୈଶାଖୀର ତାଣ୍ଡବରେ ବଜ୍ରପାତ: ମା’ ପାଖକୁ ପହଞ୍ଚି ପାରିଲାନି ପୁଅ, ଛାତ ଉପରେ ଟଳିପଡ଼ିଲେ ବୃଦ୍ଧ

ଗରଦପୁର/ଆଳି: ରାଜ୍ୟରେ ଗ୍ରୀଷ୍ମ ପବ୍ରାହ ଜାରି ଥିବା ବେଳେ ଆଜି ଅପରାହ୍‌ଣରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ମୃତକମାନେ ହେଲେ ଶିବ ପ୍ରସାଦ ସାହୁ (୬୫), ଆଶୁତୋଷ ଜେନା(୧୭), ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ (୭୦) ଓ  ଅନିଲ ବେହେରା(୩୬)।ଆଜି ଅପରାହ୍ନରେ ହୋଇଥିବା ବଜ୍ରପାତରେ ତଳକୁସୁମା ପଂଚାୟତର ବାରୁଣା ଗ୍ରାମର ଶିବ ପ୍ରସାଦ ସାହୁଙ୍କର ମୁଗ ବିଲରେ କାମ କରୁଥିଲେ। ଏହି ସମୟରେ କାଳବୈଶାଖି ଜନିତ ଝଡ଼ ବର୍ଷା ସହିତ ଘନଘନ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଶିବ ପ୍ରସାଦ ବିଲରେ ଟଳି ପଡ଼ିଥିଲେ। ଗ୍ରାମବାସୀ ତାଙ୍କ ୪ ପୁଅ ବାହାରେ ରହୁଥିବାରୁ ଶିବ ପ୍ରସାଦଙ୍କୁ ପାଟକୁରା ମେଡ଼ିକାଲକୁ ଆଣଇଥିଲେ। ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଳକୁସୁମା ପଂଚାୟତର ବଙ୍ଗାରୀ ଗ୍ରାମର ଆଶୁତୋଷ ଜେନା ଓ ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ ସନ୍ଧ୍ୟା ୫ଟା ବେଳେ ହୋଇଥିବା କାଳବୈଶାଖି ଝଡ଼ ବର୍ଷା ଓ ବଜ୍ରପାତର ଶିକାର ହୋଇଥିଲେ। ଆଶୁତୋଷ ନିକଟସ୍ଥ ଲୋକନାଥ ମହାବିଦ୍ୟାଳୟର ଯୁକ୍ତ ୨ ଶେଷ ବର୍ଷ ଛାତ୍ର ଥିଲେ। ଏବେ ଯୁକ୍ତ ୨ କଳାରେ ପରୀକ୍ଷା ଦେଇଥିଲେ। ତାଙ୍କ ଘର ସମ୍ମୁଖରେ ପରିସ୍ରା ଯାଇଥିବାବେଳେ ବଜ୍ରପାତ ହୋଇଥିଲା। ଘର ଦୁଆର ମୁହଁରେ ତାଙ୍କ ମା ମଧ୍ୟ ଉପସ୍ଥିତ ଥିଲେ। ମା ପୁଅକୁ ଘରକୁ ପଳାଇ ଆସିବାକୁ ଡ଼ାକୁଥିବାବେଳେ ବଜ୍ରପାତରେ ଆଶୁତୋଷଙ୍କ ବାମ ପଟ ଜଳି ଯାଇଥିଲା। ସେ ସେହିଠାରେ ଟଳି ପଡ଼ିଥିଲେ । ସେହିପରି ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ ଛାତ ଉପରେ ଶୁଖୁଥିବା ଲୁଗା ଆଣିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଛାତ ଉପରେ ବଜ୍ରପାତ ହେବାରୁ ସେ ମଧ୍ୟ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ। ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟକୁରା ମେଡ଼ିକାଲକୁ ଅଣାଯାଇଥିଲା। ବିଶେଷଜ୍ଞ ଡ଼ ହିମାଂଶୁ ଭୁଷଣ ଷଡ଼ଙ୍ଗୀ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *