ଗୋପନ କିବ୍ ଗସ୍ତରେ ଆମେରିକା ରାଷ୍ଟ୍ରପତି ବାଇଡେନ !
ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଏକ ବର୍ଷ ପୂରଣ ହେବ । ଏହା ପୂର୍ବରୁ ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନ ପଛରେ ନିଜର ସମର୍ଥନକୁ ପ୍ରମାଣିତ କରିବାକୁ ପୋଲାଣ୍ଡର ଓ୍ବାର୍ସାଠାରେ ଏକାଠି ହୋଇଛନ୍ତି । ଏହି ବୈଠକରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାରଦିନ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି । କିନ୍ତୁ ପୋଲାଣ୍ଡରୁ ସେ ଗୋପନରେ ୟୁକ୍ରେନର ରାଜଧାନୀ କିବ୍ ଗସ୍ତ କରିଥିବା ଆଲୋଚନା ହେଉଛି ।
ବାଇଡେନଙ୍କ ଏହି ଗସ୍ତ ସମ୍ପର୍କରେ ଉଭୟ ଆମେରିକା ଓ ୟୁକ୍ରେନ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ତେବେ ସୋସିଆଲ ମିଡିଆରେ ଏ ସଂପର୍କରେ ଏକ ଫଟୋ ଓ ଭିଡିଓ ଘୂରିବୁଲୁଛି । ଫଟୋରେ ବାଇଡେନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଥିବା ଦେଖାଯାଉଛି ।
ତେବେ ୟୁକ୍ରେନର ସରକାରୀ ନ୍ୟୁଜ ଏଜେନ୍ସି ୟୁକ୍ରେନଫର୍ମ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ମେଲନିକଙ୍କ ବୟାନକୁ ଉଦ୍ଧାର କରି ଏକ ରିପୋର୍ଟ ପ୍ରକାଶ କରିଛି । ସେଥିରେ କୁହାଯାଇଛି ଯେ ୟୁକ୍ରେନର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ପାର୍ଟନର କିବ୍ ଗସ୍ତରେ ଆସୁଛନ୍ତି । ତେବେ ସେ ବାଇଡେନଙ୍କ ନାଁ ପ୍ରକାଶ କରିନଥିଲେ ବି ବାଇଡେନଙ୍କୁ ସଂକେତ କରି ସେ ଏହା କହିଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ ୨୦୨୨, ଫେବ୍ରୁଆରି ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ।