ମୁଖ୍ୟ ଖବର

ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଜାରି: ଆଠ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ମତଦାନ ଜାରି ରହିଛି। ଏହି ପ୍ରଥମ ପର୍ଯ୍ୟାୟରେ ଆଠ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯିବ। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ନାଗପୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଅଛନ୍ତି। ଠିକ୍ ସେହିପରି ରାଜସ୍ଥାନର ଅଲୱାରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଆସାମର ଦିବ୍ରୁଗଡ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆୟୁର୍ବେଦ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅରୁଣାଚଳ ପଶ୍ଚିମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୃଥିବୀ ବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁ, ରାଜସ୍ଥାନର ବିକାନେରରୁ ବିଜେପି ପ୍ରାର୍ଥୀ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବି ଅଛନ୍ତି।

ଏଣେ ଜମ୍ମୁ-କଶ୍ମୀରର ଉଦ୍ଦାମପୁର ଆସନରୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ପୁଣି ଥରେ ନିର୍ବାଚନ ଲଢ଼ୁଛନ୍ତି। ଏଣେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିଆନ୍ ଉତ୍ତର ପ୍ରଦେଶର ମୁଜାଫରପୁର ଏବଂ ଫାଗଗାନ୍ ସିଂ କୁଲାସ୍ତେ ମଧ୍ୟପ୍ରଦେଶର ମଣ୍ଡଳା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କର ଆଜି ଭାଗ୍ୟ ପରୀକ୍ଷା ହେଉଛି।

ସାଧାରଣ ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହେଉଛି । ସକାଳ ୭ଟାରୁ ଏସବୁ ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ (୬୦ ଆସନ) ଏବଂ ସିକ୍କିମ (୩୨ ଆସନ) ବିଧାନସଭା ଆସନ ପାଇଁ ବି ଭୋଟ ଗ୍ରହଣ ହେଉଛି । ଗତ ନିର୍ବାଚନ (୨୦୧୯)ରେ ୟୁପିଏ ଏହି ୧୦୨ଟି ଆସନରୁ ୪୫ଟି ଏବଂ ଏନଡିଏ ୪୧ଟି ଆସନରେ ବିଜୟୀ ହୋଇଥିଲା।

Leave a Reply

Your email address will not be published. Required fields are marked *