ରାଜ୍ୟ

ରାଜ୍ୟରେ ପଛୁଆବର୍ଗଙ୍କ ସାମାଜିକ ସୁରକ୍ଷା ପାଇଁ “ଓବିସି ଅତ୍ୟାଚାର ନିବାରଣ ଆଇନ” ପ୍ରଣୟନ କରିବା ପାଇଁ ରାଜ୍ୟ ଓବିସି ମଞ୍ଚର ଦାବି I

ସମ୍ବଲପୁର,୨୧/୦୨: ଓଡିଶାରେ ଓବିସିଙ୍କ ଦୁର୍ଦଶା ଅକଥନୀୟ ଅଟେ I ସେମାନେ ଚାଷୀ ହୁଅନ୍ତୁ କି ଦିନ ମଜୁରିଆ, କୌଳିକ ବୃତ୍ତିଧାରୀ ହୁଅନ୍ତୁ କି ବ୍ୟବସାୟୀ, ସରକାରୀ ଚାକିରିଆ ହୁଅନ୍ତୁ କି ପୋଲିସ ଅଧିକାରୀ ସମସ୍ତେ ଅସୁରକ୍ଷିତ ମନେ କରୁଛନ୍ତି I ଓଡିଶା ସରକାର ଓବିସିଙ୍କୁ ସମାନୁପାତିକ ସଂରକ୍ଷଣ ଦେବାରେ ଟାଳଟୁଳନୀତି ଅବଲମ୍ବନ କରୁଥିବା ବେଳେ ସୁରକ୍ଷା ଦେବାରେ ମଧ୍ୟ ବିଫଳ ହୋଇଛନ୍ତି ବୋଲି ରାଜ୍ୟ ଓବିସି ମଞ୍ଚ ଅଭିଯୋଗ କରିଛି I ଯେପରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ରୋକିବା) ଆକ୍ଟ ୧୯୮୯ ଆଇନ ରହିଛି ଠିକ ସେହିପରି ଓବିସିଙ୍କ ସାମାଜିକ ସୁରକ୍ଷା ପାଇଁ “ଓବିସି ଅତ୍ୟାଚାର ନିବାରଣ ଆଇନ” ପ୍ରଣୟନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଆଜି ଡ଼ଃ ଦୀପକ କୁମାର ଆରକ୍ଷୀ ମହାନିରୀକ୍ଷକ, ଉତ୍ତର ପ୍ରଭାଗ, ସମ୍ବଲପୁରଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା I ଏହା ସହିତ ଗତ ତା.୧୫.୦୨. ୨୦୨୩ ଦିନ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟରତ ଧନୁପାଲି ଥାନା ମହିଳା ଆଇଆଇସି ଅନିତା ପ୍ରଧାନଙ୍କୁ ବିରୋଧ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଚାପୁଡ଼ା ମାରି ଦୁର୍ବ୍ୟବହାର କରିବା ଘଟଣାକୁ ରାଜ୍ୟ ଓବିସି ମଞ୍ଚ ତୀବ୍ର ନିନ୍ଦା କରିବା ସହିତ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛି I ଏହି ଦାବି ପତ୍ର ପ୍ରଦାନ ସମୟରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର କୁମାର ପାତ୍ର, ଜ଼ିଲ୍ଲା ଆବାହକ ସରୋଜ ସାହୁ, ଉତ୍ତମ ପ୍ରଧାନ, ସୁଧାଂଶୁ ଶେଖର ମହାରଣା, ଭବାନୀ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *