ବେଳେ ବେଳେ ଦେଶର ରାଜନୀତି ବିଦେଶରୁ ହେଉଛି : ବିବିସି ଡକ୍ୟୁମେଣ୍ଟାରି ସମ୍ପର୍କରେ ଜୟଶଙ୍କରଙ୍କ ବୟାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରିକୁ ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ସେ ଏହି ଡକ୍ୟୁମେଣ୍ଟାରିର ସମୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ନେଇ ଜାରି କରାଯାଇଛି ବୋଲି କହିଛନ୍ତି ।
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବେଳେବେଳେ ଭାରତର ରାଜନୀତି ଦେଶ ମଧ୍ୟରୁ ଆସି ନଥାଏ, ବରଂ ଏହା ଦେଶ ବାହାରୁ ଆସିଥାଏ । ଆମେ କେବଳ ଏକ ଡକ୍ୟୁମେଣ୍ଟାରୀ କିମ୍ବା ଭାଷଣ ସଂପର୍କରେ କହୁନାହୁଁ, ଯାହାକି କୌଣସି ୟୁରୋପୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଆମେ ‘ପ୍ରକୃତ ରାଜନୀତି’ ବିଷୟରେ କହୁଛୁ ଯାହା ସ୍ପଷ୍ଟ ଭାବରେ ଗଣମାଧ୍ୟମ ଜରିଆରେ ଚାଲିଛି । ଆମେ ସେହି ଲୋକଙ୍କ ରାଜନୀତି ସଂପର୍କରେ କହୁଛୁ ଯେଉଁମାନଙ୍କର ପ୍ରତ୍ୟକ୍ଷ ରାଜନୀତିକୁ ଆସିବାକୁ ସାହସ ନାହିଁ ।
୨୦୨୪ ମସିହାର ପ୍ରାୟ ଏକ ବର୍ଷ ପୂର୍ବରୁ ଆସିଥିବା ଏହି ଡକ୍ୟୁମେଣ୍ଟାରିର ସମୟକୁ ନେଇ ମଧ୍ୟ ବୈଦେଶିକ ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, “ଆପଣ ଭାବୁଛନ୍ତି କି ଏହି ସମୟ ଆକସ୍ମିକ ଅଟେ ! ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି- ମୁଁ ଜାଣେ ନାହିଁ ଯେ ଭାରତ, ଦିଲ୍ଲୀରେ ନିର୍ବାଚନ ଋତୁ ଆରମ୍ଭ ହୋଇଛି କି ନାହିଁ କିନ୍ତୁ ଏହା ନିଶ୍ଚିତ ଭାବରେ ଲଣ୍ଡନ, ନ୍ୟୁୟର୍କରେ ଆରମ୍ଭ ହୋଇଯାଇଛି ।’’
ଗତ ମାସରେ ବିବିସି ‘ଇଣ୍ଡିଆ: ଦ ମୋଦି କ୍ବେଶ୍ଚନ୍’ ଶୀର୍ଷକ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯେଉଁଥିରେ ୨୦୦୨ ଗୁଜରାଟ ଦଙ୍ଗାକୁ ଦର୍ଶାଯାଇଥିଲା ଏବଂ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଉପରେ ପ୍ରଶ୍ନ କରାଯାଇଥିଲା ।