ଆଇପିଏସ୍ ଅଧିକାରୀ ଆଇଏଏସଙ୍କ ବ୍ୟକ୍ତିଗତ ଫଟୋ ସେୟାର କରିଥିବା ଘଟଣାକୁ ନେଇ ତେଜୁଛି ବିବାଦ, ବିନା ପୋଷ୍ଟିଂରେ ତିନିଜଣଙ୍କ ହେଲା ବଦଳି
ବେଙ୍ଗାଲୁରୁ: କର୍ଣ୍ଣାଟକର ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ବିବାଦ ଖବର ମଧ୍ୟରେ ଦୁହିଁଙ୍କ ବଦଳି ହୋଇଯାଇଥିବା ସୂଚନା ମିଳିଛି। ଆଗାମୀ ଆଦେଶ ପର୍ଯ୍ୟନ୍ତ ଆଇପିଏସ୍ ଅଧିକାରୀ ଡି ରୁପା ମୌଦଗିଲ ଓ ଆଇଏଏସ୍ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କୁ ବଦଳି କରି ଦିଆଯାଇଛି। କିନ୍ତୁ ଏଯାବତ ଦୁହିଁଙ୍କୁ କୌଣସି ସ୍ଥାନରେ ପୋଷ୍ଟିଂ ମିଳି ନାହିଁ। ଏଥିସହିତ ଆଇପିଏସ୍ ଅଧିକାରୀ ଡି ରୁପାଙ୍କ ସ୍ବାମୀ ଆଇଏଏସ୍ ଅଧିକାରୀ ମୁନିଶ ମୌଦଗିଲଙ୍କୁ ମଧ୍ୟ ବିନା ପୋଷ୍ଟିଂରେ ବଦଳି କରାଯାଇଛି।
ଏହି ଘଟଣା କର୍ଣ୍ଣାଟକ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏମିତି କି ରାଜ୍ୟ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ଏ ନେଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ।ଗତ ରବିବାର ଦିନ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଡି ରୁପା ମୌଦଗିଲ ସୋସିଆଲ ମିଡିଆରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବ୍ୟକ୍ତିଗତ ଫଟୋ ସେୟାର କରିଥିଲେ। ଏଥିସହିତ ଦାବି କରିଥିଲେ ଯେ, ରୋହିଣୀ ସିନ୍ଧୁରୀ ପୁରୁଷ ଆଇଏଏସ୍ ଅଧିକାରୀଙ୍କ ନିକଟକୁ ତାଙ୍କ ଫଟୋ ପଠାଇ ସେବା ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି।