ଚତୁର୍ଥ ପର୍ଯ୍ୟାୟ ମତଦାନ: ଆସନ୍ତାକାଲି ୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ଭୋଟ୍ ଦେବେ ୧୭.୭ କୋଟି ମତଦାତା
ନୂଆଦିଲ୍ଲୀ/ଭୁବନେଶ୍ବର: ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ ଆସନ ପାଇଁ ମତଦାନ ହେବ। ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍ ଗ୍ରହଣ କରାଯିବ । ଅନ୍ୟପଟେ ଭୋଟରଙ୍କ ଭାଗିଦାରୀ ବୃଦ୍ଧି କରିବାକୁ ତେଲଙ୍ଗାନାର ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନ କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ)କୁ ବଢ଼ାଯାଇଛି ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗରମ ପାଗକୁ ନେଇ ବିଶେଷ ଚିନ୍ତା ନାହିଁ । ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ନିର୍ବାଚନ ହେବାକୁ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାଭାବିକରୁ କମ୍ ତାପମାତ୍ରା (୨ ଡିଗ୍ରି) ଅନୁଭୂତ ହେବାର ସମ୍ଭାବନା ରହିଛି ଏବଂ ମତଦାନ ଦିନ ଏହି ସବୁ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ରହିବ ନାହିଁ। ତେବେ ଭୋଟରଙ୍କ ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାଣି, ସାମିୟାନା ଓ ଫ୍ୟାନ୍ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସୁଦ୍ଧା ୨୮୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ତଥ୍ୟ:
-୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ୧୩ ମଇ ୨୦୨୪ରେ ୯୬ଟି ସଂସଦୀୟ କ୍ଷେତ୍ର (ସାଧାରଣ-୬୪; ଏସଟି- ୧୨; ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସସି-୨୦)ରେ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭିନ୍ନ ହୋଇପାରେ)।
-୧୩ ମଇରେ ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ (ସାଧାରଣ -୧୩୯; ଏସଟି-୭; ଏସସି-୨୯) ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍ ଗ୍ରହଣ କରାଯିବ ।
-ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮ ।
-ମତଦାନ ଓ ସୁରକ୍ଷା ଅଧିକାରୀଙ୍କୁ ନେବା ପାଇଁ ୩ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ୧୨୨ ଥର ବିମାନ ଉଡ଼ାଣ କରାଯାଇଛି (ଆନ୍ଧ୍ରପ୍ରଦେଶ-୨, ଝାଡ଼ଖଣ୍ଡ-୧୦୮; ଓଡ଼ିଶା-୧୨)।
-୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ୧୭.୭ କୋଟିରୁ ଅଧିକ ମତଦାତାଙ୍କୁ ସ୍ୱାଗତ କରିବେ ୧୯ ଲକ୍ଷରୁ ଅଧିକ ମତଦାନ ଅଧିକାରୀ ।