ମୁମ୍ବାଇରେ କାଳବୈଶାଖିର ତାଣ୍ଡବ, ବିଜ୍ଞାପନ ହୋଡିଂ ଭାଙ୍ଗି ୪ ମୃତ, ୫୯ ଆହତ
ମୁମ୍ବାଇ: ମୁମ୍ବାଇରେ ଆଜି ପ୍ରବଳ ପବନ ଓ ବର୍ଷା ହୋଇଛି । ମହାନଗରୀର ଘାଟକୋପରରେ ଥିବା ୧୦୦ ଫୁଟ ଲମ୍ବର ହୋର୍ଡିଂ ବାତ୍ୟା ଯୋଗୁଁ ଉପୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଜିମ୍ଖାନା ନିକଟରେ ଏହି ଅଘଟଣ ଘଟିଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ), ଅଗ୍ନିଶମ ବାହିନୀ ଏବଂ ପୋଲିସ ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରିଲିଫ ପ୍ରଦାନ କରିଛନ୍ତି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସେ କହିଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ରେ କ୍ରେନ୍ ଓ ଗ୍ୟାସ୍ କଟର ବ୍ୟବହାର କରାଯାଇଛି।
ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଘାଟକୋପର ଦୁର୍ଘଟଣା ଘଟିବା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କ ନିର୍ବାଚନୀ ରାଲିକୁ ବାତିଲ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ଘାଟକୋପର ଦୁର୍ଘଟଣା ମାମଲାରେ ରେଳବାଇ ଏବଂ ବିଜ୍ଞାପନ କମ୍ପାନୀ ଇଗୋ ମିଡିଆ ବିରୋଧରେ ମାମଲା ରୁଜୁ କରିବ ବିଏମସି (ବୃହତ ମୁମ୍ବାଇ ନଗର ନିଗମ) । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ରେଳବାଇ ଓ ବିଜ୍ଞାପନ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।