ମୁଁ ପୁଣି ଜେଲ ଯିବି ନା ନାହିଁ ତାହା ଲୋକେ ନିଷ୍ପତ୍ତି ନେବେ : କେଜ୍ରିଓ୍ବାଲ
ଅମୃତସର: ପଞ୍ଜାବର ଅମୃତସରରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରୋଡ୍ ସୋ’ କରିଛନ୍ତି। ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ଆମ୍ ଆଦମୀ ପାର୍ଟିର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ରୋଡ୍ ସୋ’ ସମୟରେ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ଯଦି ଆପଣ ଝାଡ଼ୁ ଚିହ୍ନ ଦବାଇବେ, ତେବେ ମୋତେ ଆଉ ଜେଲ୍ ଯିବାକୁ ପଡ଼ିବ ନାହିଁ।
ଭଗବାନଙ୍କ କୃପାରୁ ମୁଁ ଆଜି ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି। ସେମାନେ କହୁଛନ୍ତି ମୋତେ ୨୦ ଦିନ ମଧ୍ୟରେ ଜେଲ୍ ଯିବାକୁ ପଡ଼ିବ। ଏବେ ମୁଁ ପୁଣି ଜେଲ୍ ଯିବି କି ନାହିଁ ତାହା ଲୋକଙ୍କ ଉପରେ ନିର୍ଭର କରୁଛି। ଏସସି-ଏସଟି-ଓବିସି ସଂରକ୍ଷଣ କୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନରେ ୪୦୦ ଆସନ ଦାବି କରୁଛନ୍ତି । ସମ୍ବିଧାନ ଓ ଦେଶକୁ ବଞ୍ଚାଇବା ପାଇଁ ଏହି ନିର୍ବାଚନ ହୋଇଛି।
ରୋଡସୋ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ଵାଲ ଓ ମାନ ଅମୃତସରସ୍ଥିତ ସୁବର୍ଣ୍ଣ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଆପ୍ ସୁପ୍ରିମୋଙ୍କ ସହ ମୁଖ୍ୟମନ୍ତ୍ରୀ ମାନ ଏବଂ ଅମୃତସର ଦଳର ପ୍ରାର୍ଥୀ କୁଲଦୀପ ସିଂହ ଧାଲିୱାଲ ମଧ୍ୟ ଉପସ୍ଥିତ ଥିଲେ। ଜୁନ୍ ପହିଲାରେ ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନପାଇଁ ମତଦାନ ହେବ।