ରାଜ୍ୟ

ହରିୟାଣା : ୨ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଜେଜେପି

ଚଣ୍ଡିଗଡ଼ : ହରିୟାଣାରୁ ଆସିଛି ବଡ ଖବର । ରାଜ୍ୟର ଜନନାୟକ ଜନତା ପାର୍ଟି (ଜେଜେପି) ଏହାର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦଳ ପକ୍ଷରୁ ନରୱାନା ବିଧାୟକ ରାମ ନିବାସ ସୁରଜେଖେଡା ଓ ବରୱାଲା ବିଧାୟକ ଯୋଗୀରାମ ସିହାଗଙ୍କୁ ଆଇନଗତ ନୋଟିସ ପଠାଯାଇଛି। ଖାଲି ସେତିକି ନୁହେଁ, ଏହି ଦୁଇ ଜଣଙ୍କ ବିରୋଧରେ ଦଳ ବିଧାନସଭା ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତାଙ୍କୁ ମଧ୍ୟ ଚିଠି ଲେଖିଛି। ଚିଠିରେ ଉଭୟଙ୍କ ସଦସ୍ୟତା ରଦ୍ଦ କରିବାକୁ କୁହାଯାଇଛି। ଦଳ ପକ୍ଷରୁ କାର୍ଯ୍ୟାଳୟ ସମ୍ପାଦକ ରଣଧୀର ସିଂହ ଏହି ନୋଟ୍ ଜାରି କରିଛନ୍ତି। ଏହି ଦୁଇ ବିଧାୟକ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଜନସାଧାରଣଙ୍କ ଠାରୁ ଭୋଟ୍ ମାଗିଥିଲେ ବୋଲି ଶ୍ରୀ ସିଂହ ନୋଟିସରେ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ନିର୍ବାଚନ ପ୍ରଚାର ସମୟରେ ଉଭୟ ବିଜେପି ପ୍ରାର୍ଥୀଙ୍କ ସହ ମଞ୍ଚରେ ବସିଥିଲେ ।ଶ୍ରୀ ସିଂହ ଚିଠିରେ ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତାଙ୍କୁ କହିଛନ୍ତି ଯେ ଉଭୟ ବିଧାୟକ ଦୀର୍ଘ ଦିନ ଧରି ସୋସିଆଲ ମିଡିଆ, ପ୍ରିଣ୍ଟ ମିଡିଆ ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରି ଆସୁଥିଲେ। ତାଙ୍କ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ଦଳ ପକ୍ଷରୁ ୨-୩ ଥର ନୋଟିସ୍ ମଧ୍ୟ ଦିଆଯାଇଥିଲା, କିନ୍ତୁ ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ଶେଷରେ ତାଙ୍କ ବିରୋଧରେ ଦଳବଦଳ ଆଇନ ଅନୁଯାୟୀ ଏକ ପିଟିସନ୍ ଦାଖଲ କରାଯାଇଛି। ଏହାବ୍ୟତୀତ ବିଧାୟକ ଦେବେନ୍ଦ୍ର ବବଲିଙ୍କୁ ମଧ୍ୟ ଦଳ ବିରୋଧରେ କହିବା ପାଇଁ ଦଳ ପକ୍ଷରୁ ନୋଟିସ୍ ଦିଆଯାଇଛି। ତେବେ ବବଲି ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦଳର ରାଲିରେ ମଞ୍ଚ ସେୟାର କରିନାହାନ୍ତି। ଏହି କାରଣରୁ ସେମାନଙ୍କ ବିରୋଧରେ ଦଳବଦଳ ବିରୋଧୀ ଆଇନ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *