ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୧୭୫ ଯାତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର (ମେ ୧୭) ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଏୟାର ଇଣ୍ଡିଆର ଏକ ବିମାନ ଏଆଇ-୮୦୭ର ଏୟାର କଣ୍ଡିସନ ୟୁନିଟରେ ନିଆଁ ଲାଗିବା ପରେ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବିମାନରେ ୧୭୫ ଜଣ ଯାତ୍ରୀ ଥିଲେ। ଶୁକ୍ରବାର ସନ୍ଧ୍ୟା ୬ଟା ୩୮ମିନିଟରେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା। ଦିଲ୍ଲୀ ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ବିମାନଟି ଦିଲ୍ଲୀ ଫେରି ସୁରକ୍ଷିତ ଭାବେ ଅବତରଣ କରିଛି।
ଏୟାର ଇଣ୍ଡିଆ ବିମାନରେ ଏହା କ୍ରମାଗତ ଦ୍ବିତୀୟ ଘଟଣା। ଏହା ପୂର୍ବରୁ ଗୁରୁବାର (ମେ ୧୬) ଦିନ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ବାତିଲ କରିବାକୁ ପଡ଼ିଥିଲା। ପୁଣେ ବିମାନ ବନ୍ଦରର ରନୱେରେ ଏୟାର ଇଣ୍ଡିଆର ଏକ ବିମାନ ଏକ ଟଗ୍ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ସେହି ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା।
ଏହି ଘଟଣା ପରେ ସମସ୍ତ ଯାତ୍ରୀ ପ୍ରାୟ ୬ ଘଣ୍ଟା ଧରି ବିମାନ ବନ୍ଦରରେ ଫସି ରହିଥିଲେ। ଏୟାର ଇଣ୍ଡିଆ ତରଫରୁ କୁହାଯାଇଛି ଯେ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଭଡ଼ା ଫେରସ୍ତ କରାଯାଇଛି ଏବଂ ଅନ୍ତର୍ଜାତୀୟ ସଂଯୋଗ ଥିବା ଯାତ୍ରୀଙ୍କ ପାଇଁ ବିମାନର ବ୍ୟବସ୍ଥା କରାଯାଇଛି।