ଜୁଲିଆନ୍ ଆସାଞ୍ଜଙ୍କୁ ବ୍ରିଟେନ୍ କୋର୍ଟରୁ ଆଶ୍ୱସ୍ତି, ଆମେରିକା ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରିପାରିବେ
ଲଣ୍ଡନ: ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ବ୍ରିଟେନର ଏକ ଅଦାଲତ । ଆମେରିକାକୁ ପ୍ରତ୍ୟାର୍ପଣ ବିରୋଧରେ ସେ ଲଣ୍ଡନରେ ଆବେଦନ କରିପାରିବେ ବୋଲି କୋର୍ଟ ରାୟ ଦେଇଛନ୍ତି ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ବ୍ରିଟେନ ସରକାରଙ୍କ ପ୍ରତ୍ୟର୍ପଣ ଆଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ଆସାଞ୍ଜଙ୍କ ପାଖରେ ଆଧାର ରହିଛି। ହାଇକୋର୍ଟଙ୍କ ଏହି ରାୟ ଆସାଞ୍ଜଙ୍କ ପାଇଁ ଆବେଦନ କରିବାର ବାଟ ସଫା କରିଛି, ଯାହା ବର୍ଷ ବର୍ଷ ଧରି ଚାଲିପାରେ।
ପାଖାପାଖି ୧୫ ବର୍ଷ ପୂର୍ବେ ନିଜ ୱେବସାଇଟରେ ଆମେରିକୀୟ ଦସ୍ତାବିଜ ପ୍ରକାଶ କରିବା ମାମଲାରେ ଆସାଞ୍ଜଙ୍କ ବିରୋଧରେ ଗୁପ୍ତଚରବୃତ୍ତି ଏବଂ କମ୍ପ୍ୟୁଟର ଅପବ୍ୟବହାର ଅଭିଯୋଗ ରହିଛି। ୭ ବର୍ଷ ଧରି ଲଣ୍ଡନରେ ଥିବା ଇକ୍ୱେଡର ଦୂତାବାସରେ ଆଶ୍ରୟ ନେବା ପରେ ଆସାଞ୍ଜ ଗତ ୫ ବର୍ଷ ହେଲା ବ୍ରିଟେନର ଜେଲରେ କାଟିଛନ୍ତି।
ଜୁଲିଆନ୍ ଆସାଞ୍ଜଙ୍କ ବିରୋଧରେ ଆମେରିକା ପାଇଁ ଗୁପ୍ତଚର କରୁଥିବା ଅଭିଯୋଗ ହୋଇଛି। ଆସାଞ୍ଜ ୧୩ ବର୍ଷ ହେଲା ଆଇନଗତ ଲଢ଼େଇ ଲଢୁଛନ୍ତି। ତାଙ୍କ ପ୍ରତ୍ୟର୍ପଣ ପାଇଁ ଆମେରିକା ତରଫରୁ ବ୍ରିଟିଶ କୋର୍ଟରେ ଆବେଦନ ମଧ୍ୟ କରାଯାଇଥିଲା। ୫୨ ବର୍ଷୀୟ ଜୁଲିଆନ୍ ଆସାଞ୍ଜଙ୍କୁ ଫାଶୀ ଦିଆଯିବ ନାହିଁ ବୋଲି ଆମେରିକା ବ୍ରିଟିଶ କୋର୍ଟକୁ ଆଶ୍ୱାସନା ଦେଇଛି।