ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉଠିଲା ଲଗ୍ନଥାଳ, ଜୁନ ୧୧ରେ ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି
ଭଦ୍ରକ / ଆରଡ଼ି :୨୪/୦୫ ( ପି.ଏନ)-ଆରଡିପୀଠର ଅଧିଶ୍ବର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ପାଇଁ ଗୁରୁବାର ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ବୈଦିକ ରୀତିନୀତି ଅନୁଯାୟୀ କନ୍ଯାପିତା ଗଦାଧର ପାଢୀ ବରପିତା କେଦାରନାଥ ପାଢୀଙ୍କୁ ଲଗ୍ନଥାଳ ପ୍ରଦାନ କରିଥିଲେ। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ସମଗ୍ର ପୀଠ। ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ସରିବା ପରେ ଚନ୍ଦନନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୪ଟା ସୁଧା ସମସ୍ତ ସକାଳ ନୀତି ସରିବା ପରେ ମମିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ପରେ ଆଜ୍ଞାମାଳ ଅଣାଯାଇ ପ୍ରସିଦ୍ଧ ଶିବବିବାହ ପାଇଁ ଲଗ୍ନଥାଳ
ଉଠିଥିଲା। ଯୋଡି ମହୁରୀ ସହ ଘଣ୍ଟ କିର୍ତ୍ତନ, ଆଲଟଚାମର ଦ୍ବାରା ଲଗ୍ନଥାଳ ବରପିତା କେଦାରନାଥ ପାଢୀଙ୍କ ଘରୁ କନ୍ଯାପିତା ଗଗଦାଧର ପାଢୀଙ୍କ ଘର ଅଭିମୁଖେ ବାହାରିଥିଲା। ସହସ୍ରାଧିକ ଭକ୍ତ ସେବାୟତଙ୍କ ଦ୍ବାରା ବାଜା ରୋଷଣୀ ସହ ଲଗ୍ନଥାଳ ନଗରୀ ପରିକ୍ରମା କରିବା ପରେ କନ୍ଯାପିତାଙ୍କ ଘରେ ପହଁଚିଥିଲା। ସେଠାରେ ଜ୍ଯୋତିଷ୍ଯ ଓ ବ୍ରାହ୍ମଣଙ୍କ ଦ୍ବାରା ଲଗ୍ନ ଚିତାଉ ତାଳପତ୍ର ଲେଖନୀ ଦ୍ବାରା ଦେବଦମ୍ପତିଙ୍କ ବିବାହ ପାଇଁ ଦିନାଙ୍କ ଧ୍ଯାର୍ଯ୍ଯ କରାଯିବା ସହ ପାଣିଗ୍ରହଣ ନୀତିର ସମୟ ନିର୍ଦ୍ଧାରଣ କରାଯାଇଥିଲା। ଏହି ଲେଖା ସର୍ବସମତିକ୍ରମେ ଉପସ୍ଥିତ ଥିବା ସମସ୍ତ ଭକ୍ତ ଓ ସେବାୟତଙ୍କ ଗହଣରେ ପାଠ କରାଯିବା ପରେ ପୁର୍ନବାର ବରପିତାଙ୍କ ଘର ଅଭିମୁଖେ ବାହାରିଥିଲା ଲଗ୍ନ ଚିଟାଉଥାଳ। ବରପିତାଙ୍କ ଘରେ ସ୍ବାଗତ କରାଯାଇ ଲଗ୍ନ ଚିଟାଉ ପାଠ ସହ ଗୁଆ ମଙ୍ଗୁଳା ନୀତି କରାଯାଇଥିଲା। ଏହି ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ପଡୋଶୀ ଜିଲାର ସମସ୍ତ ଦେବାଦେବୀଙ୍କୁ ବଣ୍ଟନ କରାଯିବ। ଏଥିପାଇଁ ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଥିଲା
ଭଦ୍ରକ ରୁ ସୁଜିତ୍ କୁମାର ପାଣି ଙ୍କ ରିପୋର୍ଟ