ମୋଦୀଙ୍କୁ ତେଜସ୍ବୀଙ୍କ ନାଲିଆଖି: ୭୫ ବର୍ଷରେ ଆମେ ଆପଣଙ୍କ ପ୍ରତି ମଧ୍ୟ କରିପାରିବୁ ସେଭଳି…
ପାଟନା: ବିହାରର ପୂର୍ବତନ ଡେପୁଟି ସିଏମ୍ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଉପରେ କହିଛନ୍ତି ଯେ, ଯେଉଁମାନେ ବିହାରକୁ ଲୁଟ୍ କରିଛନ୍ତି ସେମାନେ ଜେଲରେ ରହିବେ। ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଆମକୁ ଧମକ ଦେଉଛନ୍ତି। କିନ୍ତୁ ସେ ଜାଣିବା ଉଚିତ୍ ଏହା ବିହାର। ଏହା ଝାଡଖଣ୍ଡ ଅବା ଦିଲ୍ଲୀ ନୁହେଁ। ଥରେ ହାତ ଦେଇ ଦେଖନ୍ତୁ କ’ଣ ହେବ ତାହା ଜାଣିବେ। ବିହାରର ଲୋକମାନେ ଗୁଜୁରାଟର ଲୋକଙ୍କୁ ଭୟ କରନ୍ତି ନାହିଁ।
ବିହାରର ଲୋକମାନେ କାହାକୁ ଭୟ କରନ୍ତି ନାହିଁ, ଆମର ପ୍ରଭୁ ଶ୍ରୀକୃଷ୍ଣ ଜେଲରେ ଜନ୍ମଗ୍ରହଣ କରିଥିଲେ। ୭୫ ବର୍ଷ ବୟସ୍କ ବ୍ୟକ୍ତି ୩୪ ବର୍ଷ ବୟସ୍କ ଯୁବକଙ୍କୁ ଧମକ ଦେଉଛନ୍ତି ଯେ ଯଦି ତୁମେ ଆମକୁ ପରାସ୍ତ କର, ଆମେ ତୁମକୁ ଜେଲକୁ ପଠାଇବୁ। ଜନସାଧାରଣ ଏହାର ନିଷ୍ପତ୍ତି ନେବେ।
କରାକଟରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ବିହାର ଲୁଟ୍ କରିଥିବା ଲୋକଙ୍କୁ ଏନଡିଏ ସରକାର ସୁରକ୍ଷା ଦେବେ ନାହିଁ। ମୁଁ ବିହାରର ଲୋକଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ଯେଉଁମାନେ ଗରିବ ଲୋକଙ୍କୁ ଲୁଟ କରିଛନ୍ତି ଏବଂ ଚାକିରି ବଦଳରେ ସେମାନଙ୍କ ଜମି ଦଖଲ କରିଛନ୍ତି ସେମାନେ ଜେଲ୍ ଯିବେ। ତାଙ୍କ ଜେଲ ଯାତ୍ରାର ଓଲଟା ଗଣନା ଆରମ୍ଭ ହୋଇଛି। ଥରେ ତାଙ୍କର ହେଲିକପ୍ଟର ଯାତ୍ରା ସମାପ୍ତ ହେଲେ ଜେଲ ଯାତ୍ରା ଆରମ୍ଭ ହେବ।