ମହାତ୍ମାଙ୍କୁ ନେଇ ମୋଦୀଙ୍କ ମନ୍ତବ୍ୟ: ନିନ୍ଦା କଲା କଂଗ୍ରେସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରିଛନ୍ତି ଯେ ଚଳଚ୍ଚିତ୍ର ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ବିଶ୍ୱ ଜାଣିବାକୁ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଂଗ୍ରେସକୁ ସମାଲୋଚନା କରିଛନ୍ତି ଏବଂ ଦାବି କରିଛନ୍ତି ରିଚ୍ଚାର୍ଡ ଆଟେନବରୋଙ୍କ ୧୯୮୨ ଚଳଚ୍ଚିତ୍ର ‘ଗାନ୍ଧୀ’ ନିର୍ମାଣ ନହେବା ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ବିଷୟରେ ବିଶ୍ୱ କିଛି ଜାଣି ନ ଥିଲା।
ନ୍ୟୁଜ୍ ଚ୍ୟାନେଲ ଏବିପିକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଦାବି କରିଥିଲେ ମହାତ୍ମା ଗାନ୍ଧୀ ଜଣେ ମହାନ ବ୍ୟକ୍ତି, କିନ୍ତୁ ବିଶ୍ୱ ତାଙ୍କ ବିଷୟରେ ଜାଣି ନ ଥିଲା। ବିଗତ ୭୫ ବର୍ଷ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କୁ ବିଶ୍ୱବ୍ୟାପୀ ମାନ୍ୟତା ଦେବା ଦେଶର ଦାୟିତ୍ୱ ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଲେ।
ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରିଥିଲେ ‘ମହାତ୍ମା ଗାନ୍ଧୀ ଦୁନିଆର ଜଣେ ମହାନ ଆତ୍ମା। ଏହି ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ବିଶ୍ୱକୁ ଜଣାଇବା ଆମର ଦାୟିତ୍ୱ ନୁହେଁ କି? ତାଙ୍କ ବିଷୟରେ କେହି ଜାଣି ନ ଥିଲେ। ମୋତେ କ୍ଷମା କରିବେ, କିନ୍ତୁ ପ୍ରଥମ ଥର ପାଇଁ ‘ଗାନ୍ଧୀ’ ଚଳଚ୍ଚିତ୍ର ନିର୍ମାଣ ହେବା ପରେ ତାଙ୍କ ବିଷୟରେ କୌତୁହଳ ସୃଷ୍ଟି ହୋଇଥିଲା। ଆମେ ମହାତ୍ମାଙ୍କ ବିଷୟରେ କୌଣସି ପଦକ୍ଷେପ ଗ୍ରହଣ କରିନାହୁଁ। ସେ କହିଛନ୍ତି ଯେ ଯଦି ମାର୍ଟିନ୍ ଲୁଥର୍ କିଙ୍ଗ ଏବଂ ନେଲସନ ମଣ୍ଡେଲାଙ୍କ ପରି ଅନ୍ୟ ନେତାଙ୍କ ବିଷୟରେ ବିଶ୍ୱ ଜାଣନ୍ତି, ତେବେ ଗାନ୍ଧୀ ସେମାନଙ୍କଠାରୁ କମ୍ ନୁହଁନ୍ତି। ସାରା ବିଶ୍ୱ ଭ୍ରମଣ ପରେ ମୁଁ ଏହା କହୁଛି। ‘