ରାଜ୍ୟ

ଦୌଡୁଛି ଭାରତର ଅର୍ଥନୀତି, ୨୦୨୩-୨୪ରେ ୮.୨% ଅଭିବୃଦ୍ଧି

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୮.୨ ପ୍ରତିଶତ ରହିଥିଲା। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ମାର୍ଚ୍ଚ ତ୍ରୟମାସରେ ଦେଶର ଅର୍ଥନୀତି ବାର୍ଷିକ ଭାବେ ୭.୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଏହା ସହିତ ପୂରା ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୮.୨ ପ୍ରତିଶତକୁ ବୃଦ୍ଧି ପାଇଛି। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ଜାନୁଆରୀ-ମାର୍ଚ୍ଚରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା, ଯାହା ଗତବର୍ଷ ସମାନ ତ୍ରୈମାସରେ ୬.୨ ପ୍ରତିଶତ ଥିଲା। ତେବେ ୨୦୨୩ ଅକ୍ଟୋବର-ଡିସେମ୍ବର ତୁଳନାରେ ମାର୍ଚ୍ଚ ତ୍ରୈମାସିକ ଅଭିବୃଦ୍ଧି ହାର ହ୍ରାସ ପାଇଛି। ଡିସେମ୍ବର ତ୍ରୟମାସରେ ଦେଶର ଅର୍ଥନୀତି ୮.୬ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି।ଜିଡିପି ଏକ ନିର୍ଦ୍ଦିଷ୍ଟ ଅବଧିରେ ଏକ ଦେଶର ଭୌଗୋଳିକ ସୀମା ମଧ୍ୟରେ ଉତ୍ପାଦିତ ଚୂଡ଼ାନ୍ତ ଦ୍ରବ୍ୟ ଏବଂ ସେବାର ମୋଟ ମୂଲ୍ୟକୁ କୁହାଯାଇଥାଏ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ରହିଥିଲା। ଦ୍ୱିତୀୟ ଆଗୁଆ ଆକଳନରେ ଏନଏସଓ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୭.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା। ଅର୍ଥନୈତିକ କ୍ଷେତ୍ରରେ ଭାରତର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଚୀନ୍ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ୫.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଏଣୁ ଭାରତ ପୁଣି ଥରେ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ପାଇଛି ।

Leave a Reply

Your email address will not be published. Required fields are marked *