ରାଜ୍ୟ

ପାଡେପଦର ପଞ୍ଚାୟତରେ ପାନୀୟଜଳ ସମସ୍ୟା ସାଂଘାତିକ

ଭବାନୀପାଟଣା_:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଅନେକ ଜନବସତିରେ ପାନୀୟଜଳ ଏକ ମୁଖ୍ୟ ସମସ୍ୟା ପାଲଟିଛି।ପିଇବା ପାଇଁ ବିଶୁଦ୍ଧ ପାଣି ଟୋପାଏ ପାଇପାରୁନଥିବା ଦେଖିବାକୁ ମିଳୁଛି।ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ପାନୀୟଜଳ ଯୋଗାଣ ପାଇଁ ନଳକୂପ, ସୌର ପ୍ରକଳ୍ପ ଏବଂ ବସୁଧା ଯୋଜନାରେ ପାଇପ୍ ପାଣି ବ୍ୟବସ୍ଥା ରହିଛି।ହେଲେ କେଉଁଠି ନଳକୂପରୁ ପାଣି ବାହାରୁ ନଥିବା ବେଳେ କେଉଁଠି ଅନୁପଯୋଗି ଦୂଷିତ ତଥା ଦୁର୍ଗନ୍ଧ ପାଣି ବାହାରୁଥିବା ଦେଖିବାକୁ ମିଳୁଛି।ଜଳଯୋଗାଣ ପାଇଁ ଉନ୍ନତ ବିକଳ୍ପ ସ୍ବରୂପ ସୌର ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ହେଲେ ତନ୍ମଧ୍ୟରୁ ଅଧିକାଂଶ ମରାମତି ନହୋଇ ଅଚଳ ହୋଇ ପଡିରହିଛି।ଏଥି ସହିତ ସରକାର ‘ବସୁଧା’ଯୋଜନା ମାଧ୍ୟମରେ ସମସ୍ତ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ବ୍ୟବସ୍ଥା ରହିଛି।ହେଲେ ଆଜି ପର୍ଯ୍ୟନ୍ତ ଅନେକ ଜନବସତି ଏହି ଯୋଜନାରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି। ଥୁଆମୂଳ ରାମପୁର ବ୍ଲକ ଏକ ବଣପାହାଡ ଅଞ୍ଚଳ ହୋଇଥିବା ଯୋଗୁଁ ବିଭିନ୍ନ ପ୍ରାନ୍ତରେ ଭୂତଳ ପାଣି ପର୍ଯ୍ୟାପ୍ତ ହେଇପାରୁନଥିବା ନଜିର ରହିଛି।ବର୍ତ୍ତମାନ ଗ୍ରୀଷ୍ମ ଋତୁ ତାର ପ୍ରକୋପ ବଢାଇ ଚାଲିଛି ଏବଂ ଅନ୍ୟ ପଟରେ ପାନୀୟଜଳର ଅଭାବ ଜନଜୀବନ ପ୍ରତି ପ୍ରତିକୂଳ ପ୍ରଭାବ ପକାଇଛି।ବିଶେଷ ଭାବରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ବ୍ଲକର ଦୁର୍ଗମ ପାଡେପଦର ଗ୍ରାମ ପଞ୍ଚାୟତରେ।ଏହି ପଞ୍ଚାୟତର ମୁଣ୍ଡି ଘାଟି ଏବଂ ଦୁରେଶ ପଦର ଆଦିବାସୀ ପଡାରେ ପାନୀୟଜଳର ସାଂଘାତିକ ସମସ୍ୟା ଦେଖିବାକୁ ମିଳିଛି।ମୁଣ୍ଡିଘାଟି ଗାଁରେ ୪ ଟି ନଳକୂପ ଏବଂ ଗୋଟିଏ ସୌର ପ୍ରକଳ୍ପ ବ୍ୟବସ୍ଥା ରହିଛି।କିନ୍ତୁ ସମସ୍ତ ନଳକୂପ ପ୍ରାୟତଃ ଜଳ ଯୋଗାଇବାରେ ଅକ୍ଷମ ହୋଇ ପଡିରହିଛି।ସୌର ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମରାମତିର ଅଭାବ ଯୋଗୁଁ ତାହା ମଧ୍ୟ ଅଚଳ। ଫଳରେ ପାଣି ଟୋପାଏ ପାଇଁ ଡହଳବିକଳ ମୁଣ୍ଡିଘାଟି ଗ୍ରାମରେ ବସବାସ କରୁଥିବା ୭୫ ଘର ପରିବାର। ସେହିପରି ଦୁରେଶପଦର ଗ୍ରାମର ଆଦିବାସୀ ପଡାରେ ପାନୀୟଜଳ ଏକ ସାଂଘାତିକ ସମସ୍ୟା ଭାବେ ଉଭା ହୋଇଛି। ୨୦ ଘର ଆଦିବାସୀ ପରିବାର ବସବାସ କରୁଥିବା ଏହି ପଡାରେ ଗୋଟିଏ ମାତ୍ର ନଳକୂପ ରହିଥିଲା ସେଥିରେ ସୌର ପ୍ରକଳ୍ପ ଖଞ୍ଜା ଯାଇଥିବା ବେଳେ ନିମ୍ନଗାମୀ ଜଳସ୍ତର ଯୋଗୁଁ ଆବଶ୍ୟକୀୟ ପାଣି ଯୋଗାଇବାରେ ବିଫଳ ରହିଛି।ଫଳରେ ଦୂଷିତ ଝର ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ଆଣିଛନ୍ତି ପଡାର ମହିଳା ମାନେ।ଯେଉଁ ପାଣି ବ୍ୟବହାର କରି ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ଆଣିଛନ୍ତି। ପାନୀୟଜଳ ସମସ୍ୟାର ସମାଧାନ ପାଇଁ ସରପଞ୍ଚ ସମିତି ସଭ୍ୟଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନଥିବା ଅତି କ୍ଷୋଭର ସହିତ ଅଭିଯୋଗ ଆଣିଛନ୍ତି ପଡାବାସୀ। ଏନେଇ ସରପଞ୍ଚ ଶ୍ରୀମତୀ ସମ୍ବାରୀ ମାଝୀ ସମସ୍ୟାର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ଏବଂ ଏସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବ୍ଲକ ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମନ୍ମଥ ମୁର୍ମୁଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି। ଏବିଷୟରେ ଯେତେବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ମୁର୍ମୁଙ୍କୁ ପଚରାଗଲା ସେ ପଞ୍ଚାୟତ ପ୍ରଶାସନର ଅବହେଳାକୁ ମଧ୍ୟ ଦାୟୀ କରିଛନ୍ତି।ପଞ୍ଚାୟତ ପ୍ରଶାସନ ଆମ ସହିତ ସମନ୍ୱୟର ଅଭାବ ରଖିଥିବା ବେଳେ ଏହି ସମସ୍ୟା ଗୁଡିକର ସମାଧାନ ହେବାରେ ଅସୁବିଧା ରହୁଥିବା ମତ ପ୍ରକାଶ କରିଥିଲେ।ମୁଣ୍ଡିଘାଟିରେ ନିର୍ମାଣ ହୋଇଥିବା ‘ବସୁଧା’ପାନୀୟଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅଳ୍ପ ଦିନ ଭିତରେ କାର୍ଯ୍ୟକ୍ଷମ ହେବ ଏବଂ ମୁଣ୍ଡିଘାଟି ସମେତ ଦୁରେଶପଦର ଗାଁରେ ପାନୀୟଜଳ ସମସ୍ୟା ଦୂର ହେବ ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।ଏଥିସହିତ ଉକ୍ତ ଗ୍ରାମ ପଞ୍ଚାୟତର ଦୁରେଶପଦର ହରୀଜନ ପଡାର ୫୦ ହାଡସିଲ ଗାଁ ତଳପଡାର ୨୦,ବେଣାଖମାରର ୩୦ ,ଡୁଡୁଙ୍ଗଚୁଆର ୨୫, ପାଡେପଦରର ୩୦, ଭବଡାପଦର ଗାଁର ୬୦,ଫୁକିଜାଲ ଗାଁର ୪୦, ସାନଛତ୍ରଙ୍ଗର ୪୫, ଭୁତଗୁଡା ଗାଁରେ ୨୫ ଏବଂ ଭାଟିପାସ ଗାଁର ୩୦ ପରିବାର ଆଜି ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଦିନକୁ ଦିନ ଖରାର ପ୍ରକୋପ ବଢିଚାଲିଥିବା ବେଳେ ଏସବୁ ଗାଁରେ ପାନୀୟଜଳ ସମସ୍ୟା ମଧ୍ୟ ସାଂଘାତିକ ରୂପ ନେଉଛି।ପ୍ରଶାସନ ତୁରନ୍ତ ଏସବୁ ଗାଁରେ ରହିଥିବା ପାନୀୟଜଳ ସମସ୍ୟା ସମାଧାନ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *