ମୁଖ୍ୟ ଖବର

ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଏ ୨୮୦ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୨୨୦ ଆସନରେ ଆଗୁଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ‌ଶେଷ ହେବା ପରେ ଆଜି ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଏନଡିଏ ଆଗରେ ରହିଥିବା ଦେଖାଯାଇଛି। ହେଲେ ଏଥର ଏନଡିଏର ବିଜୟ ଯାତ୍ରାରେ କଣ୍ଟା ସାଜିଛି ଇଣ୍ଡିଆ ମେଣ୍ଟ।ଲୋକସଭାରେ ମୋଟ ୫୪୩ ଆସନ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୨୭୨। କିଏ କ୍ଷମତା ଦଖଲ କରିବ ତାହା ଭୋଟ ଗଣତି ପରେ ଜଣାପଡ଼ିବ। ଆସିଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଏ ୨୮୦ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୨୨୦ ଆସନରେ ଆଗୁଆ ରହିଛି। ପ୍ରଚାର ସମୟରେ ବିଜେପି ଦାବି କରିଥିଲା ଯେ, ଏଥର ୪୦୦ରୁ ଅଧିକ ଆସନ ଜିତିବ ଦଳ। ହେଲେ ଗଣନାରୁ ବିଜେପିର ଏହି ସ୍ବପ୍ନ ପୂରଣ ନହେବା ଭଳି ଲାଗିଲାଣି। ୩୦୦ ଆସନ ଜିତିବା ପାଇଁ ବିଜେପି ଏବେ ସଂଘର୍ଷ କରୁଥିବା ବେଳେ ଗଣତି ଶେଷରେ କାହାର ପ୍ରଦର୍ଶନ କିଭଳି ରହିଲା ତାହା ସ୍ପଷ୍ଟ ହେବ।

ୟୁପି ବିଷୟରେ କହିବାକୁ ଗଲେ ଇଣ୍ଡିଆ ମେଣ୍ଟ ୪୦ଟି ଆସନରେ ଏବଂ ଏନଡିଏ ୩୯ଟି ଆସନରେ ଆଗୁଆ ରହିଛି। ଏହା ସହ ସମାଜବାଦୀ ପାର୍ଟି ୩୩ଟି ଆସନରେ ଆଗୁଆ ରହିଛି। ହରିୟାଣାରେ ମଧ୍ୟ ଇଣ୍ଡିଆ ମେଣ୍ଟ ୧୦ଟି ଆସନ ମଧ୍ୟରୁ ୬ଟିରେ ଆଗୁଆ ରହିଛି। ମହାରାଷ୍ଟ୍ର କଥା କହିବାକୁ ଗଲେ ଇଣ୍ଡିଆ ମେଣ୍ଟ ଆଗରେ ରହିଛି। ଇଣ୍ଡିଆ ମେଣ୍ଟ ୨୯ଟି ଆସନରେ ଏବଂ ୧୮ଟି ଆସନରେ ଏନଡିଏ ଆଗୁଆ ରହିଛି।

ଯଦି ଏନଡିଏ ସରକାର ଗଠନ ହୁଏ ତେବେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଏବଂ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବାରେ ଦ୍ୱିତୀୟ ନେତା ହେବେ। ଏହାପୂର୍ବରୁ ଏହି ରେକର୍ଡ ଜବାହର ଲାଲ ନେହେରୁଙ୍କ ନାମରେ ଥିଲା। ଏଥର ୯୬.୮୮ କୋଟି ଭୋଟରଙ୍କ ମଧ୍ୟରୁ ୬୪.୨ କୋଟି ଭୋଟର ଭୋଟ୍ ଦେଇଛନ୍ତି।

Leave a Reply

Your email address will not be published. Required fields are marked *