କାହାକୁ ସମର୍ଥନ କରିବେ ଆଜାଦ ସମାଜ ପାର୍ଟି? କଣ କହିଲେ ଚନ୍ଦ୍ରଶେଖର ଆଜାଦ୍
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳରେ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିଛି। ଏହି ରାଜ୍ୟରେ ବିଜେପିକୁ ଆଶାନୁରୂପ ସଫଳତା ମିଳିପାରିନାହିଁ । ବିଜେପିଠାରୁ ଅଧିକ ଆସନରେ ଜିତିଛି ଇଣ୍ଡିଆ ମେଣ୍ଟ । ସେପଟେ ୟୁପିର ନଗିନା ଆସନରେ ଆଜାଦ ସମାଜ ପାର୍ଟିର ଚନ୍ଦ୍ରଶେଖର ଆଜାଦ କେବଳ ବିଜେପି ଓ ବିଏସପି ନୁହେଁ, ଭାରତ ମେଣ୍ଟର କଂଗ୍ରେସ-ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ମଧ୍ୟ ପରାସ୍ତ କରିଛନ୍ତି। ସେପଟେ ଚନ୍ଦ୍ରଶେଖର ଆଜାଦଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ମୁଁ ବର୍ତ୍ତମାନ କୌଣସି ମେଣ୍ଟକୁ ସମର୍ଥନ କରୁନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଉଭୟ ପକ୍ଷଙ୍କ ସହ ଆଲୋଚନା ଚାଲିଛି ବୋଲି ଆଜାଦ କହିଛନ୍ତି। ସେପଟେ ଚନ୍ଦ୍ରଶେଖର ଆଜାଦ ଜୁନ୍ ୭ତାରିଖରେ ଦିଲ୍ଲୀରେ ପହଞ୍ଚିବେ। ଏଠାରେ ଆଲୋଚନା ଚୂଡ଼ାନ୍ତ ହେବା ପରେ ଉଭୟ ମେଣ୍ଟ ମଧ୍ୟରୁ ଯେକୌଣସି ଗୋଟିଏକୁ ସର୍ତ୍ତମୂଳକ ସମର୍ଥନ ଦେଇପାରନ୍ତି।
ଆଜାଦ ସମାଜ ପାର୍ଟି (କଂଶୀରାମ) ଏବଂ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ନଗିନା ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ନଗିନା ଲୋକସଭା ଆସନରେ ଆଜାଦଙ୍କୁ ୫,୧୨,୫୫୨ ଖଣ୍ଡ ଭୋଟ୍ ମିଳିଥିଲା। ବିଜେପିପ୍ରାର୍ଥୀ ଓମ୍ କୁମାର ୩,୬୧,୦୭୯ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି।