ରାଜ୍ୟ

ସମ୍ବଲପୁରରେ ସ୍କୁଲ ବିଦ୍ୟାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ “ଏଗଜାମ୍ ଓ୍ୱାରିୟର୍ସ” ବଣ୍ଟନ

ସମ୍ବଲପୁର ତା.୨୩/୨ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ “ଏଗଜାମ ଓ୍ୱାରିୟର୍ସ” ପୁସ୍ତକ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଛି ।
ପୁସ୍ତକ ପାଇବା ପରେ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି । ପରୀକ୍ଷା ସମୟରେ ପିଲା ଓ ସେମାନଙ୍କ ଅଭିଭାବକଙ୍କ ଉପରେ ଥିବା ଚାପକୁ କମାଇବା ଏବଂ ପରୀକ୍ଷାକୁ ନେଇ ଥିବା ଭୟ ଦୂର କରିବା ସହ ବିଭିନ୍ନ ଉପାଦୟ କଥା “ଏଗଜାମ ଓ୍ୱାରିୟର୍ସ” ପୁସ୍ତକରେ ପୁସ୍ତକରେ ବର୍ଣ୍ଣନା କରାଯାଇଛି ।

 ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ...
ପରୀକ୍ଷା ସମୟରେ ଭୟ ଓ କୌଣସି ଚାପର ବଶବର୍ତ୍ତୀ ହେବା ଅନୁଚିତ୍ । ପରୀକ୍ଷାକୁ ଏକ ବୋଝ ଭାବେ ନୁହେଁ ବରଂ ଉତ୍ସବ ଭାବେ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲା ମାନଙ୍କୁ ପରାମର୍ଶ ଦେଇଛନ୍ତି । “ଏଗଜାମ ଓ୍ୱାରିୟର୍ସ” ପୁସ୍ତକରେ ଥିବା ନାନା ଉପାଦେୟ କଥା ଛାତ୍ରଛାତ୍ରୀଙ୍କ ଜୀବନର ପ୍ରତି ପରୀକ୍ଷାରେ କାମ ଦେବ । ସଫଳତା ପାଇଁ ଉଭୟ ମନ ଓ ଶରୀରକୁ ସୁସ୍ଥ ରଖିବା ଜରୁରୀ । ଏହା ପିଲା ମାନଙ୍କର ଆତ୍ମବିଶ୍ୱାସକୁ ବଢ଼ାଇବ ।

  ଜାତୀୟ ଶିକ୍ଷା ନୀତି - ୨୦୨୦ରେ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି, ଯେଉଁମାନେ ଭାରତୀୟ ମୂଲ୍ୟବୋଧ “ବସୁଧୈବ କୁଟୁମ୍ବକମ” ଆଧାରରେ ମାନବତାର କଲ୍ୟାଣ ପାଇଁ ପ୍ରତିଜ୍ଞାବଦ୍ଧ ରହିବେ । ୨୦୩୬ ମସିହାକୁ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ସେହିପରି ଆମ ଦେଶ ଭାରତ ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କର କଳ୍ପନା ରହିଛି । ଏଥିପାଇଁ ଏହି କାଳଖଣ୍ଡରେ ଛାତ୍ରଛାତ୍ରୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 ରାଷ୍ଟ୍ର ନିର୍ମାଣ ରେ ସକାରାତ୍ମକ ସହଭାଗିତା ପାଇଁ ଆହ୍ବାନ ଦେବା ସହ ଏକ ଉଜ୍ବଳ ଓ ସଫଳ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ବୋଲି ବେଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *