ରାଜ୍ୟ

ଜନତାଙ୍କ ସରକାର ଆଗାମୀ ବଜେଟ୍‌ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବରଗଡ଼: ଜନତାଙ୍କ ସରକାର ଆଗାମୀ ବଜେଟ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ। ଏଥିପାଇଁ ଖୁବଶୀଘ୍ର ଏକ ୱେବସାଇଟ ଖୋଲାଯିବ। ମୁଁ ସାଧାରଣ ପରିବାରରୁ ଆସିଛି। ମୋ ସରକାର ଜନତାଙ୍କ ସରକାର। ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ। ବରଗଡ଼ରେ ଏକ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏହା କହିଛନ୍ତି।କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରି କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି କୃଷକମାନଙ୍କର ପ୍ରକୃତ ବନ୍ଧୁ। ଚାଷୀମାନଙ୍କୁ ସବୁ ସହାୟତା ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା କୃଷକମାନଙ୍କ ପାଇଁ ବିକାଶର ରାସ୍ତା ଖୋଲିଛି। ସେ କହିଲେ ଯେ ଆଜି ପି.ଏମ.କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତିରେ ଆଜି କୃଷକ ମାନେ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ପାଇଲେ। ଓଡ଼ିଶାର ୩୧ ଲକ୍ଷ ୬୨ ହଜାର ଚାଷୀ ସମୁଦାୟ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଲେ। ଏଥିପାଇଁ ସେ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀ ମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଥିଲେ। ସେ ପୁଣି କହିଲେ  ଯେ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଏକ କୃଷକ କଲ୍ୟାଣକାରୀ ପ୍ରଗତିଶୀଳ ତଥା କୃଷକଙ୍କୁ ମୁଖ୍ୟ ସ୍ରୋତରେ ସମ୍ମିଳିତ କରିବା ଭଳି ଯୋଜନା । କୃଷକର ବିକାଶ ଏବଂ ଦାରିଦ୍ର୍ୟତା ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୋଦୀ ସରକାର ଫେବ୍ରୁଆରି ୨୦୧୯ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ।

Leave a Reply

Your email address will not be published. Required fields are marked *