ରାଜ୍ୟ

ନୀରୋଗ ଜୀବନ ଓ କୁଣ୍ଡଳିନୀ ଶକ୍ତିର ଜାଗ୍ରତ ପାଇଁ ‘ଯୋଗ’ ଏକ ବଳିଷ୍ଠ ମାଧ୍ୟମ”

କେନ୍ଦ୍ରାପଡ଼ା, ୨୧/୦୬: “ଜୀବନକୁ ଚାପମୁକ୍ତ କରିବା ପାଇଁ ଯୋଗ ଏକ ବଳିଷ୍ଠ ମାଧ୍ୟମ । ଏହା ସହ ସୁସ୍ଥ, ସୁନ୍ଦର ସ୍ୱାସ୍ଥ୍ୟ ଓ ନୀରୋଗ ଜୀବନଯାପନ ପାଇଁ ଏହି ପ୍ରାଚୀନ କ୍ରିୟା ଏକାନ୍ତ ଅପରିହାର୍ଯ୍ୟ” ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ । ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ମହାକାଳପଡ଼ାର ବତୀଘରଠାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ କହିଛନ୍ତି “କୁଣ୍ଡଳିନୀ ଶକ୍ତିର ଜାଗ୍ରତ ପାଇଁ ଯୋଗ ଏକ ଅନୁପମ ଅବଲମ୍ବନ ।” ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ତହସିଲଦାର ମାନସ ତ୍ରିପାଠୀ, ବିଡିଓ ସାଗର ନନ୍ଦ, ସ୍ଥାନୀୟ ଲୋକପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୂଖ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ୫୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଅଭ୍ୟାସ କରିବା ସହ ଶପଥ ଗ୍ରହଣ କରିଥିଲେ ।
ସେହିପରି ନୂତନ ମେଡିକାଲ ନିକଟସ୍ଥ ଶାମଗୁଡ଼ିଆଠାରେଥିବା ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍‌ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଏହି ଦିବସର ଶୁଭ ଉଦ୍‌ଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନୀଲୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ା ସଂଘରୁ ୫୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗ ଅଭ୍ୟାସ କରିଥିଲେ । କ୍ରୀଡ଼ା ଅଧିକାରୀ ଶ୍ରୀ ଲୋକନାଥ ପାଣିଗ୍ରାହୀ ଯୋଗ ଶିବିର ପରିଚାଳନା କରିଥିଲେ । ସମସ୍ତ ୯ଟି ବ୍ଲକ୍ ଓ ୨ଟି ମୁନିସିପାଲିଟିରେ ଭିନ୍ନଭିନ୍ନ ସ୍ଥାନରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *