ଭାରତର କଠୋର ଆଭିମୁଖ୍ୟର ପ୍ରଭାବ ! ୨ ଖଲିସ୍ତାନୀଙ୍କ ବିରୋଧରେ କାନାଡାର କାର୍ଯ୍ୟାନୁଷ୍ଠାନ
ଓଟାୱା: ଭାରତର କଠୋର ନେତୃତ୍ୱ ଆଗରେ କାନାଡାର ଆଭିମୁଖ୍ୟ ନରମ ହେବାରେ ଲାଗିଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଏବଂ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରଠାରୁ କାନାଡା ବ୍ୟାକ୍ଫୁଟରେ ରହିଛି। ଭାରତର କଠୋରତାର ପ୍ରଭାବ ଏବେ କାନାଡାର ଅଦାଲତ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳୁଛି। କାନାଡାର ଏକ ଅଦାଲତ ପ୍ରଥମ ଥର ପାଇଁ ଦେଶର ‘ଫ୍ଲାଇଟ୍ ବ୍ୟାନ୍’ ତାଲିକାରୁ ହଟାଇବାକୁ ହୋଇଥିବା ଦୁଇ ଖଲିସ୍ତାନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଦୁଇ ଶିଖ୍ ଉଗ୍ରବାଦୀଙ୍କ ଏହି ପ୍ରୟାସକୁ ଅଦାଲତ ପଣ୍ଡ କରି କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟ କରିବା ପାଇଁ ସେମାନେ ପରିବହନ, ନିରାପତ୍ତା କିମ୍ବା ବିମାନ ଯାତ୍ରା ପ୍ରତି ବିପଦ ସୃଷ୍ଟି କରିବେ ବୋଲି ସନ୍ଦେହ କରିବାର ଯୁକ୍ତିଯୁକ୍ତ କାରଣ ରହିଛି।ଗତ ସପ୍ତାହରେ ଫେଡେରାଲ କୋର୍ଟ ଅଫ୍ ଆପିଲ୍ସ ଦ୍ୱାରା ଜାରି ହୋଇଥିବା ଏକ ଆଦେଶକୁ ଉଦାହରଣ ଦେଇ କାନାଡାର ନ୍ୟୁଜ୍ ଏଜେନ୍ସି ଗୁରୁବାର ଭାନକୁଭରରୁ ରିପୋର୍ଟ କରିଛି ଯେ ଆପିଲ କୋର୍ଟ ଭଗତ ସିଂ ବ୍ରାର ଏବଂ ପର୍ବକର ସିଂ ଦୁଲାଇଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କାନାଡାର ସେଫ୍ ଏୟାର ଟ୍ରାଭେଲ ଆକ୍ଟ ଅନୁଯାୟୀ ଏହି ଦୁଇ ଜଣଙ୍କୁ ନୋ ଫ୍ଲାଇଟ୍ ଭାବେ ତାଲିକାଭୁକ୍ତ କରାଯାଇଥିଲା। ପୂର୍ବରୁ ଏହି ଦୁଇ ଶିଖ୍ ଉଗ୍ରବାଦୀ ଏହି ତାଲିକାର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ସେମାନଙ୍କ ଆବେଦନଖାରଜ କରାଯାଇଥିଲା। ଏହାପରେ ସେ ଆପିଲେଟ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୮ରେ ଉଭୟଙ୍କୁ ଭାନକୁଭର କୁ ବିମାନରେ ଚଢ଼ିବାକୁ ଅନୁମତି ମିଳିନଥିଲା।