ରୁଷ୍-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୁରିଲା, ଜେଲେନସ୍କି କହିଲେ ଆମେ ସମସ୍ତଙ୍କୁ ହରାଇବୁ
କିବ୍ : ରୁଷ୍-ୟୁକ୍ରେନ ଯୁଦ୍ଧକୁ ଆଜି ବର୍ଷେ ପୂରିଛି। ୨୦୨୨ ମସିହା ଠିକ୍ ଆଜିର ଦିନରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍ରେ ସ୍ବତନ୍ତ୍ର ସାମରିକ ଅପରେସନ ଘୋଷଣା କରିଥିଲେ। ପୁଟିନ ଏହାକୁ ସ୍ବତନ୍ତ୍ର ସାମରିକ ଅପରେସନ କହିଥିଲେ ସୁଦ୍ଧା ୟୁକ୍ରେନରେ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଭୟଙ୍କର ଆକ୍ରମଣ ଆରମ୍ଭ ହୋଇଥିଲା। ବର୍ଷକ ମଧ୍ୟରେ ଅନେକ ଜୀବନହାନି ହୋଇଛି। ୟୁକ୍ରେନର ଅନେକ ସହର ଛାରଖାର ହୋଇଯାଇଛି। ୨ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ତେବେ ଯୁଦ୍ଧରେ ୟୁକ୍ରେନକୁ ପଶ୍ଚିମ ରାଷ୍ଟ୍ରର ସହଯୋଗକୁ ପୁଟିନ ବିରୋଧ କରିଥିଲେ ସୁଦ୍ଧା ପଶ୍ଚିମ ରାଷ୍ଟ୍ରମାନେ ଲଗାତାର ୟୁକ୍ରେନକୁ ସହଯୋଗ କରିଛନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ଦୃଢ଼ ପ୍ରତିଜ୍ଞା କରିଛନ୍ତି । ଏକ ଭିଡିଓ ବାର୍ତ୍ତା ଦେଇ ଜେଲେନସ୍କି କହିଛନ୍ତି, ‘ ଆମେମାନେ ସୁଦୃଢ଼। ଆମେ ସବୁକିଛି ପାଇଁ ପ୍ରସ୍ତୁତ। କ୍ରୋଧର ନିଆଁ ଭିତରେ ଆମେ ଅପରାଜେୟ। ଆମେ ସମସ୍ତଙ୍କୁ ହରାଇ ପାରିବୁ।ୟୁକ୍ରେନକୁ ପୁଣିଥରେ ନୂଆକରି ଗଢ଼ିବାପାଇଁ ଜେଲେନସ୍କି ଦୃଢ଼ ପ୍ରତିଜ୍ଞା କରିଛନ୍ତି। ରୁଷ୍ ଆକ୍ରମଣରେ ଛାରଖାର ହୋଇଯାଇଥିବା ଖେରସନ୍ରେ ଏବେ ମରାମତି କାର୍ଯ୍ୟ ଚାଲିଛି। ପୂର୍ବ ଭାଗରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ଏବଂ ଯନ୍ତ୍ରଣାଦାୟକ। କିନ୍ତୁ ସବୁକିଛି ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ କାର୍ଯ୍ୟ ଜାରି ରହିଛି ବୋଲି ଜେଲେନସ୍କି କହିଛନ୍ତି। ବିଶ୍ବ ନେତାମାନେ ରୁଷ୍ ଏବଂ ରୁଷ୍କୁ ସମର୍ଥନ କରୁଥିବା ରାଷ୍ଟ୍ର ଉପରେ ନୂଆ କଟକଣା ଜାରି କରିବାପାଇଁ ସ୍ଥିର କରିଛନ୍ତି।
ଇତିମଧ୍ୟରେ ଯୁଦ୍ଧର ଦ୍ବିତୀୟ ବର୍ଷ ଆରମ୍ଭରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଅନ୍ତର୍ମହାଦେଶୀୟ ପରମାଣୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମୁତୟନ କରିବେ ବୋଲି ଘୋଷଣା କରିଛନ୍ତି। ଚଳିତ ସପ୍ତାହ ଆରମ୍ଭରେ ପୁଟିନ ଆମେରିକା ସହ ‘ଷ୍ଟାର୍ଟ ପରମାଣୁ ଚୁକ୍ତି’ ରଦ୍ଦ କରିଛନ୍ତି। ଯୁଦ୍ଧର ବର୍ଷ ପୂର୍ତ୍ତି ପାଇଁ ଜାତିସଂଘରେ ମଧ୍ୟ ଏକ ପ୍ରସ୍ତାବ ଅଣାଯାଇଥିଲା। ରୁଷ୍ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ସହ ସେନା ପ୍ରତ୍ୟାହାର ଦାବିରେ ଏହି ପ୍ରସ୍ତାବ ଗୃହୀତ ହୋଇଛି। ୧୪୧ ରାଷ୍ଟ୍ର ଏହି ପ୍ରସ୍ତାବ ସମର୍ଥନରେ ଭୋଟ୍ ଦେଇଛନ୍ତି। ଭାରତ ଏଥିରୁ ବିରତ ରହିଛି।