ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଶବାସୀଙ୍କୁ ଆଘାତ ଦେଇଛି ନିଜ ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ କଂଗ୍ରେସ : ମନମୋହନ ସାମଲ
ହିନ୍ଦୁ କେବଳ ଏକ ଧର୍ମ ନୁହେଁ ଏହା ବିଚାରଧାରା ଓ ଜୀବନଧାରା
କଂଗ୍ରେସ ହାରିବା ପରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛି
ଏକଛତ୍ରବାଦୀ, ଲୋକଙ୍କୁ ତୁଚ୍ଛ ମଣୁଥିବା ଓ ପରିବାର ବାଦକୁ ଉତ୍ସାହିତ କରିବା ବନ୍ଦ କରନ୍ତୁ ରାହୁଲ ଗାନ୍ଧୀ
କ୍ଷମତା ଲୋଭରେ ଅନ୍ଧ ହୋଇ କଂଗ୍ରେସ ବିଗତ ଦିନରେ କ’ଣ କରିଛି ତାହା ଦେଶ ଦେଖିଛି
କଂଗ୍ରେସ ଦେଶର ଅସ୍ମିତା, ଅଖଣ୍ଡତା, ସଂସ୍କୃତି, ପରମ୍ପରାକୁ ବୁଝିପାରିନାହିଁ
ରାହୁଲ ଗାନ୍ଧୀ ଭୋଟ ବ୍ୟାଙ୍କ ରାଜନୀତି ଛାଡ଼ନ୍ତୁ
ଭାରତର ଆତ୍ମାକୁ ବୁଝି ପାରିନାହିଁ କଂଗ୍ରେସ
ରାହୁଲ ଗାନ୍ଧୀଙ୍କଠାରୁ ସମ୍ମାନ ଓ ଗରିମା ଆଶା ରଖିବା ବୃଥା
ଭୁବନେଶ୍ୱର, ତା.୦୨/୦୭: ଲୋକସଭାରେ ରାହୁଲ ଗାନ୍ଧୀ ଯେଉଁ ଭଳି ମନ୍ତବ୍ୟ ଦେଇଛନ୍ତି ତାହା ହିନ୍ଦୁମାନଙ୍କ ପ୍ରତି ଘୋର ଅପମାନ । ସେ ହିନ୍ଦୁମାନଙ୍କୁ ହିଂସ୍ର, ମିଥ୍ୟାବାଦୀ ଓ ଆତଙ୍କବାଦୀ କହିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ଓଡ଼ିଶାରେ ବିଜେପି ନିନ୍ଦା କରୁଛି । ହିନ୍ଦୁମାନଙ୍କ ସ୍ୱାଭିମାନ ଓ ଆତ୍ମସମ୍ମାନକୁ ଯେଉଁମାନେ ଆଘାତ ଦେଇଛନ୍ତି ସେମାନେ କେହି ରହିନାହାନ୍ତି । ଭାରତ ଗଣତନ୍ତ୍ରରେ ସବୁଠୁ ବଡ ପଂଚାୟତ ଲୋକସଭାର ଗରିମାକୁ ନଷ୍ଟ କରିବାର ଅଧିକାର କୌଣସି ବ୍ୟକ୍ତି କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କର ନାହିଁ । ଏକ ଦାୟିତ୍ୱବାନ ରାଜନୈତିକ ଦଳଭାବେ ବିଜେପି ଦେଶବାସୀଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ ନିଷ୍ପତି ନେଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ହିନ୍ଦୁ ଶବ୍ଦର ସୁପ୍ରିମକୋର୍ଟ ବହୁବାର ସ୍ପଷ୍ଟ ବ୍ୟାଖ୍ୟା କରିଛନ୍ତି । ହିନ୍ଦୁ କେବଳ ଏକ ଧର୍ମ ନୁହେଁ ଏହା ବିଚାରଧାରା ଓ ଜୀବନଧାରା । ଅନ୍ୟ ଦେଶମାନଙ୍କରେ ଭାରତକୁ “ହିନ୍ଦୁସ୍ଥାନ”ର ଆଖ୍ୟା ଦିଆଯାଇଛି । ବିବେକାନନ୍ଦ, ଅରବିନ୍ଦ ଘୋଷ, ନେତାଜୀ ସୁବାଷଚନ୍ଦ୍ର ବୋଷ ବିଜେପିରେ ନ ଥାଇ ମଧ୍ୟ ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଛନ୍ତି । ଯୁଗ ଯୁଗରୁ ଯେଉଁମାନେ ଆମ ପାଇଁ ଲଢ଼ିଛନ୍ତି ସେମାନେ ହିନ୍ଦୁସ୍ଥାନ ପାଇଁ ଲଢ଼ୁଥିଲେ । ହିନ୍ଦୁମାନେ ଯଦି ହିଂସ୍ର ତା’ହାଲେ ରାହୁଲ ଗାନ୍ଧୀ ସେଥିରୁ ଅଲଗା କେମିତି? ସେ ନିଜକୁ କାଶ୍ମିରୀ ବ୍ରାହ୍ମଣ ଓ ଦତାତ୍ରେୟ ଗୋତ୍ର ବୋଲି କହୁଥିଲେ କେମିତି? ହିନ୍ଦୁତ୍ୱ ପାଇଁ ଆଜି ଦେଶରେ ଗଣତାନ୍ତ୍ରିକ, ରାଜନୈତିକ ବ୍ୟବସ୍ଥା ଅଛି । ଅନେକ ଦେଶରେ ଏହି ବ୍ୟବସ୍ଥା ନାହିଁ, ସେଠାରେ ଲୋକଙ୍କୁ କଥା କହିବାର ସୁଯୋଗ ଦିଆଯାଏ ନାହିଁ । ଭାରତରେ ଗଣତାନ୍ତ୍ରିକ ଓ ରାଜନୈତିକ ବ୍ୟବସ୍ଥା ଅଛି ବୋଲି ରାହୁଲ ଗାନ୍ଧୀ ଲୋକସଭାରେ ଏଭଳି ହୀନ ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ତାଙ୍କର ଏଭଳି ମନ୍ତବ୍ୟ ୧୪୦କୋଟି ଜନତାଙ୍କ ହୃଦୟଙ୍କୁ କଠୋର ଆଘାତ ଦେଇଛି ।
କଂଗ୍ରେସ ଭାରତକୁ ୫୬ ବର୍ଷ ଧରି ଶାସନ କରିଛି । ବିରୋଧୀ ଦଳରେ ବସିବାର ଅଭ୍ୟାସ ତାର ନାହିଁ, ଏନେଇ ସେମାନେ ଅଣନିଶ୍ୱାସ ହୋଇଯାଉଛନ୍ତି । କଂଗ୍ରେସ ହାରିବା ପରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛି । ବିଶେଷ କରି କଂଗ୍ରେସର ନେତା ରାହୁଲ ଗାନ୍ଧୀ କେତେବେଳେ କ’ଣ କହୁଛନ୍ତି ତାହା ବୁଝିପାରୁନାହାନ୍ତି । ଏପରିକି କ’ଣ କହିବାକୁ ହେବ ତାହା ମଧ୍ୟ ତାଙ୍କୁ ଜଣାନାହିଁ । ବିରୋଧୀ ଦଳ ନେତା ହେବା ସତ୍ୱେ ସମ୍ବିଧାନ ଓ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଉନାହାନ୍ତି । ତାଙ୍କ ପାଖରୁ ସମ୍ମାନ ଓ ଗରିମାର ଆଶା ରଖିବା ବୃଥା । କାରଣ ର୍ପୂବରୁ ମଧ୍ୟ ତାଙ୍କ ଦଳ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରକୁ କାଗଜ ଛିଣ୍ଡାଇ ଫୋପାଡିଛନ୍ତି । କ୍ଷମତା ଲୋଭରେ ଏହି ଦଳ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଲକ୍ଷଲକ୍ଷ ଲୋକଙ୍କୁ ଜେଲ୍ରେ ଭର୍ତି କରିଥିଲା । ଏହା କଂଗ୍ରେସ ସଂସ୍କୃତି ହୋଇପାରେ । କିନ୍ତୁ ଅନ୍ୟାୟ ଓ ଅତ୍ୟାଚାର କରିବା ଭାରତର ସଂସ୍କୃତି ନୁହେଁ । କଂଗ୍ରେସ ଦଳ କ୍ଷମତା ପାଇଁ ଦେଶକୁ ତୁଚ୍ଛ କରିପାରେ କିନ୍ତୁ ବିଜେପି ପାଇଁ ଦେଶ ଓ ସମାଜ ବଡ଼ ତା’ପରେ ଦଳ । ୧୯୮୪ ମସିହାରେ ନିରୀହ ଶିଖ୍ମାନଙ୍କୁ କଂଗ୍ରେସ ଅମାନୁଷିକ ଭାବେ ନରସଂହାର କରିଥିଲା । ଏଭଳି ଅଧିକାର କଂଗ୍ରେସକୁ କିଏ ଦେଇଥିଲା? କଂଗ୍ରେସର ଏଭଳି ହୀନକାମ ପାଇଁ ଏପର୍ଯ୍ୟନ୍ତ ଶିଖ୍ମାନଙ୍କ ଆଖିରୁ ଲୁହ ସୁଖୁନାହିଁ । କଂଗ୍ରେସ ଦେଶରେ କିଭଳି ଆତଙ୍କ ଓ ଗୁଣ୍ଡାଗର୍ଦ୍ଦି କରିଛି ତାହା ଦେଶବାସୀ ଦେଖିଛନ୍ତି, କିନ୍ତୁ ସେ ହିନ୍ଦୁଙ୍କୁ କିଭଳି ଦୋଷ ଦେଉଛନ୍ତି? କ୍ଷମତା ଲୋଭରେ ଅନ୍ଧ ହୋଇ କଂଗ୍ରେସ ବିଗତଦିନରେ କ’ଣ କରିଛି ତାହା ସମସ୍ତଙ୍କୁ ଜଣା । ରାହୁଲ ଗାନ୍ଧୀ ଚିନ୍ ଓ ପାକିସ୍ତାନକୁ ପ୍ରଶଂସା କରନ୍ତି । ଏନେଇ ତାଙ୍କୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏପର୍ଯ୍ୟନ୍ତ ତାଙ୍କ ଦଳ କଂଗ୍ରେସ ଭାରତର ଜନମାନସକୁ ଜାଣିପାରି ନାହିଁ କି ବୁଝିପାରିନାହିଁ । ଏଥିପାଇଁ ଏହି ଦଳ ଲୋକସଭାରେ ୪୨୫ରୁ ବହୁ ତଳକୁ ଖସିଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏଭଳି ଆତଙ୍କରାଜ ପାଇଁ ଓଡ଼ିଶାରେ କଂଗ୍ରେସ ଲୁପ୍ତ ହୋଇଯାଇଛି । ଏହି ଦଳ ଓଡ଼ିଶାର ଅସ୍ମିତା, ଅଖଣ୍ଡତା, ସଂସ୍କୃତି, ପରମ୍ପରାକୁ ବୁଝିପାରିନାହିଁ । ଏବେ କଂଗ୍ରେସର ଆତ୍ମସମୀକ୍ଷା କରିବାର ବେଳ ଆସିଛି । ଏହି ଦଳ ନିଜର ଆଚରଣ, ଉଚ୍ଚାରଣ ଓ ବ୍ୟବହାର ପରିବର୍ତନ କରିବା ଉଚିତ୍ । ଏକଛତ୍ରବାଦୀ ମନୋଭାବ, ଲୋକଙ୍କୁ ତୁଚ୍ଛ ମନେ କରିବା ଓ ପରିବାର ବାଦକୁ ଉତ୍ସାହିତ କରିବା ଭଳି କାର୍ଯ୍ୟ ଆଉ ଦେଶରେ ଚଳିବ ନାହିଁ । କଂଗ୍ରେସ ନିଜର ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ । ବରିଷ୍ଠ ନେତାମାନେ ରାହୁଲ ଗାନ୍ଧୀଙ୍କୁ ବୁଝାନ୍ତୁ । ଭାରତୀୟ ଜନତା ପାର୍ଟି ଦେଶ ପାଇଁ ଲଢ଼େଇ ଜାରି ରଖିଛି । ବିଜେପି “କସଟି ପଥର”ରେ ନିର୍ମାଣ ହୋଇଛି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରଧାମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଦେଶ ବଡ । ଦେଶ ରହିଲେ ଆମେ ରହିବା । ରାହୁଲ ଗାନ୍ଧୀ ମଧ୍ୟ ଭୋଟ ବ୍ୟାଙ୍କ ରାଜନୀତି ଛାଡନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ,
ଭୁବନେଶ୍ୱର ରୁ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ ପର୍ଯ୍ୟବେକ୍ଷକ ଓଡ଼ିଶା