ରାଜ୍ୟ

ମୋଦୀଙ୍କୁ ଫୋନ କଲେ ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍

ନୂଆଦିଲ୍ଲୀ: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍ ଶନିବାର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏ ସଂପର୍କରେ ଷ୍ଟାରମର କହିଛନ୍ତି ଯେ ସେ ଉଭୟ ପକ୍ଷପାଇଁ ଲାଭଦାୟକ ମୁକ୍ତ ବାଣିଜ୍ୟ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି।ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଉଭୟ ନେତା ପରସ୍ପରକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ବ୍ରିଟେନ୍ ଓ ଭାରତ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ମତ ବିନିମୟ କରିଛନ୍ତି। ଏହାଛଡ଼ା ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରି ଷ୍ଟାରମର କହିଥିଲେ ଯେ, ଉଭୟ ପକ୍ଷପାଇଁ ଲାଭଦାୟକ ବୁଝାମଣା କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ଖୁବ୍ ଶୀଘ୍ର ଦୁଇ ନେତା ସାକ୍ଷାତ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ଭାରତ ଏବଂ ବ୍ରିଟେନ ଦୁଇ ବର୍ଷରୁ ଅଧିକ ସମୟ ଧରି ଏଫଟିଏ ପାଇଁ ଆଲୋଚନା କରୁଛନ୍ତି କିନ୍ତୁ ଉଭୟ ଦେଶରେ ସାଧାରଣ ନିର୍ବାଚନ ଯୋଗୁଁ ୧୪ତମ ରାଉଣ୍ଡରେ ଆଲୋଚନା ଅଟକି ଯାଇଥିଲା । ଷ୍ଟାରମରଙ୍କ ନେତୃତ୍ବରେ ନୂତନ ଲେବର ସରକାର ପୁଣି ଥରେ ଆଲୋଚନା ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ଚଳିତ ସପ୍ତାହରେ ଲେବର ସରକାର ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି।

ଷ୍ଟାରମର ଆଜି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଦେଶମାନଙ୍କ ସହ ଆଲୋଚନା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ୧୦-ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଛି ।ମୋଦୀଙ୍କ ସହ ଆଲୋଚନା ପରେ ସେ ଜାପାନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ।

Leave a Reply

Your email address will not be published. Required fields are marked *