ନାବାଳକ ପୁଅକୁ ମର୍ସିଡିଜ୍ ଦେଇଥିବା ବାପାକୁ ୨ କୋଟି ଜରିମାନା
ନୂଆଦିଲ୍ଲୀ: ଦିଲ୍ଲୀରେ ୮ ବର୍ଷ ତଳେ ଘଟିଥିବା ଏକ ମର୍ସିଡିଜ୍ ହିଟ୍ ଆଣ୍ଡ ରନ୍ ମାମଲାରେ ତିସ୍ ହଜାରୀ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଅଭିଯୁକ୍ତର ବାପା ଉପରେ ୨ କୋଟିର ଜରିମନା ଲଗାଇଛନ୍ତି ।
୨୦୧୬ମସିହାରେ ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳକ ଦ୍ରୁତ ଗତିରେ ଏକ ମର୍ସିଡିଜ ଚଳାଇ ଯାଉଥିବାବେଳେ ଜଣେ ୩୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାର ବିଚାର କରି କୋର୍ଟ ସଂପୃକ୍ତ ନାବାଳକର ପିତା ମନୋଜ ଅଗ୍ରଓ୍ଵାଲଙ୍କ ଉପରେ ୨ କୋଟିର ଜରିମାନା ଲଗାଇଛନ୍ତି । ଏହି ଅର୍ଥ ଜୀବନ ହରାଇଥିବା ୩୨ ବର୍ଷୀୟ ମାର୍କେଟିଂ କନସଲଟାଣ୍ଟଙ୍କ ପରିବାରକୁ ଦିଆଯିବ। ସେହି ସମୟରେ ଏହି ଘଟଣାର ସିସିଟିଭି ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ ଏବେ ବି ଅପରାଧିକ ମାମଲା ଚାଲିଛି, ଯେଉଁଥିରେ ନାବାଳିକାଙ୍କ ବାପା ଓ ମା’ ମଧ୍ୟ ଅଭିଯୁକ୍ତ ଅଛନ୍ତି।
ପୁଅକୁ ବଞ୍ଚାଇବା ପାଇଁ ବାପା ଯଥାସମ୍ଭବ କୌଶଳ ଆପଣାଇଥିଲେ। ସେ ପୁଅ ବଦଳରେ ଅନ୍ୟ ଜଣେ ଡ୍ରାଇଭରଙ୍କୁ ମଧ୍ୟ ହାଜର କରିଥିଲେ, ଯଦିଓ ତାଙ୍କ ମିଛ କୋର୍ଟରେ ଧରାପଡ଼ିଥିଲା। ଏମଏସିଟି କୋର୍ଟ ର ବିଚାରପତି ଡାକ୍ତର ପଙ୍କଜ ଶର୍ମା ତାଙ୍କ ଆଦେଶରେ କହିଛନ୍ତି, “ବାପା ତାଙ୍କ ନାବାଳକ ପୁଅର କାର୍ଯ୍ୟକଳାପ ବିଷୟରେ ଅଜ୍ଞ ବୋଲି ପରିଚୟ ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି। ତଥ୍ୟ ଅନୁଯାୟୀ, ପୂର୍ବ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ତାଙ୍କ ପୁଅ କରିଥିବା ଦୁର୍ଘଟଣା ବିଷୟରେ ସେ ଭଲ ଭାବେ ଅବଗତ ଥିଲେ। କିନ୍ତୁ ସେ ଏହାକୁ ଅଣଦେଖା କରୁଥିଲେ। ରାସ୍ତାରେ ଯାଉଥିବା ଅନ୍ୟମାନଙ୍କ ଜୀବନ ବିପଦରେ ପଡ଼ିପାରେ ବୋଲି ବାପା ବୁଝି ପାରିନଥିଲେ। ବାପା ମନୋଜ ଅଗ୍ରଓ୍ଵାଲ ଜାଣିଶୁଣି ନାବାଳକ ପୁଅର ଏଭଳି କାର୍ଯ୍ୟକୁ ଅଣଦେଖା କରି ତାଙ୍କ ଅନୈତିକ ଆଚରଣକୁ ପ୍ରୋତ୍ସାହିତ କରିଥିଲେ।