ରାଜ୍ୟ

ଦକ୍ଷତା ବିକାଶ ପାଇଁ  ରୋଡମ୍ୟାପ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି।   ଆଗାମୀ ୨-୩ ବର୍ଷ ମଧ୍ୟରେ  ଆମର ଯୁବ ପିଢି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ଏବଂ ଶିଳ୍ପର ଚାହିଦା ଅନୁଯାୟୀ ଯୋଗ୍ୟତା ହାସଲ କରି ନିଯୁକ୍ତି ପାଇପାରିବେ। ଆମର ଯୁବପିଢି ଓଡିଶାର ଭବିଷ୍ୟତ। ସେମାନଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ସ୍ଥାନୀୟ ୱାର୍ଲ୍‌ଡ ସ୍କିଲ ସେଣ୍ଟର ଠାରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଆମ ସରକାରଙ୍କ ପ୍ରାଥମିକତା ଅଟେ। ଆଗାମୀ ବଜେଟରେ  ଆମେ ଦକ୍ଷତା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ବ ଦେଉଛୁ ବୋଲି ସେ କହିଥିଲେ।ଆଜି ଏହି ସ୍ୱତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍‌ଘାଟିତ ହୋଇଥିଲା। ଏହା ସହିତ ଆଉ ୯ ଟି କୌଶଳ କେନ୍ଦ୍ର ଖୋଲାଯିବ ବୋଲି ସେ କହିଥିଲେ। ଏହାଦ୍ବାରା ଆମର ଯୁବକମାନେ ଆତିଥେୟତା ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ତାଲିମ ପାଇବାର ସୁଯୋଗ ପାଇବେ । ଓଡିଶାକୁ ପର୍ଯ୍ୟଟନର ଏକ ହବ୍‌ ଭାବେ ପ୍ରତିଷ୍ଠା କରିବା କ୍ଷେତ୍ରରେ  ଏହି କୌଶଳ ଭବନ ଗୁଡିକ ଦକ୍ଷ ମାନବ ସମ୍ବଳର ଚାହିଦା ପୂରଣ କରିବାରେ ସକ୍ଷମ ହେବେ ବୋଲି ସେ କହିଥିଲେ। ସେହିପରି ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ‘ସି.ଏମ.- ଆସ୍ପାୟାର’ ଯୋଜନାର ଘୋଷଣା ମଧ୍ୟ କରିଥିଲେ। ସେ କହିଥିଲେ ଯେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ଦକ୍ଷତାରେ ଗୁଣବତ୍ତା ହାସଲ ଖୁବ ଗୁରୁତ୍ବପୂର୍ଣ୍ଣ। ଶିଳ୍ପ ଗୁଡିକର ଆବଶ୍ୟକତା ଅନୁଯାୟୀ ଉନ୍ନତମାନର ଦକ୍ଷତା ହାସଲ କରିପାରିବ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *