ରାଜ୍ୟ

ଶନିବାର ସୁଦ୍ଧା ନିଟ୍‌ ପରୀକ୍ଷାର ପୂର୍ଣ୍ଣାଙ୍ଗ ଫଳାଫଳ ପ୍ରକାଶ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ ପ୍ରଶ୍ନପତ୍ର ଲିକ ମାମଲାରେ ଗୁରୁବାର ଦିନ ସୁପ୍ରିମକୋର୍ଟ ବଡ଼ ଆଦେଶ ଦେଇଛନ୍ତି। ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ନିଟ୍-ୟୁଜି ପ୍ରବେଶିକାର ପୂର୍ଣ୍ଣାଙ୍ଗ ଫଳାଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) କୁ କହିଛନ୍ତି। ଫଳାଫଳଗୁଡିକ ଅନଲାଇନ୍ ଏବଂ କେନ୍ଦ୍ର ଅନୁଯାୟୀ ପ୍ରକାଶ କରିବାକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି | ସୁପ୍ରିମକୋର୍ଟ କହିଛନ୍ତି ଯେ ଫଳାଫଳକୁ ସହର ଏବଂ କେନ୍ଦ୍ର ଅନୁଯାୟୀ ପୃଥକ ଭାବରେ ଘୋଷଣା କରାଯିବା ଉଚିତ। ଛାତ୍ରଛାତ୍ରୀଙ୍କ ପରିଚୟ ଲୁଚାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏନଟିଏ​​କୁ ଶନିବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ଯେ ପାଟନାରେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଛି ଏଥିରେ କୌଣସି ସନ୍ଦେହ ନାହିଁ। ଏହାପୂର୍ବରୁ କୋର୍ଟ ସରକାର, ଏନଟିଏ ଏବଂ ପ୍ରାର୍ଥୀଙ୍କୁ କଠୋର ପ୍ରଶ୍ନ ପଚାରିଥିଲେ। କୋର୍ଟ ଜାଣିବାକୁ ଚାହିଁଥିଲେ ଏତେ ବଡ ବିଶୃଙ୍ଖଳା ହୋଇଛି କି ପରୀକ୍ଷା ବାତିଲ ହୋଇପାରିବ କି? ସୋମବାର, ଜୁଲାଇ ୨୨ରେ ସୁପ୍ରିମକୋର୍ଟ ନିଟକୁ ନେଇ ପରବର୍ତ୍ତୀ ଏବଂ ଅନ୍ତିମ ଶୁଣାଣି କରିବେ ସିଜେଆଇ କହିଛନ୍ତି ଯେ ଶୁଣାଣି ଦିନ ୧୦:୩୦ରୁ ଆରମ୍ଭ ହେବ, ଯାହା ଦ୍ୱାରା ଅପରାହ୍ନ ସୁଦ୍ଧା ମାମଲା ସମାଧାନ ହୋଇପାରିବ। ଜୁଲାଇ ୨୪ରୁ କାଉନସେଲିଂ ଆରମ୍ଭ ହେବ ବୋଲି ସଲିସିଟର ଜେନେରାଲ କହିଛନ୍ତି। ନିଟ ପରୀକ୍ଷାର୍ଥୀଙ୍କ ଓକିଲ ନରେନ୍ଦ୍ର ହୁଡା କହିଛନ୍ତି ଯେ ଆମେ ସେହି ସବୁ ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଉଠାଇଛୁ ଯାହା ଦର୍ଶାଉଛି ଯେ ପ୍ରଶ୍ନପତ୍ର ଲିକ୍ ହୋଇଛି। କେବଳ ହଜାରୀବାଗ ଏବଂ ପାଟନାରେ ନୁହେଁ, ଅନ୍ୟ ସ୍ଥାନରେ ମଧ୍ୟ ଏହି ପ୍ରଶ୍ନପତ୍ର ଲିକ୍ ହୋଇଛି। ସୋମବାର ଶୁଣାଣିର ପରବର୍ତ୍ତୀ ତାରିଖ କୋର୍ଟ ସ୍ଥିର କରିଛନ୍ତି। ବିହାର ପୁଲିସର ପ୍ରାଥମିକ ତଦନ୍ତ ରିପୋର୍ଟକୁ ରେକର୍ଡରେ ଆଣିବାକୁ ବିହାର ପୁଲିସ ଏବଂ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପ୍ରାର୍ଥୀଙ୍କ ଫଳାଫଳକୁ ନିଜ ୱେବସାଇଟରେ ଘୋଷଣା କରିବାକୁ ଏନଟିଏକୁ ନିର୍ଦ୍ଦେଶ ଦିଆଯାଇଛି |

Leave a Reply

Your email address will not be published. Required fields are marked *