ରାଜ୍ୟ

ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ: ୪ମୃତ, ୨୦ଆହତ

ନୂଆଦିଲ୍ଲୀ: ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସର ୧୦ଟି ବଗି। ଚାଲିଗଲା ୪ଜଣକ ଜୀବନ। ଗୁରୁବାର ଅପରାହ୍ନରେ ୟୁପିର ଗୋଣ୍ଡାଠାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏଠାରେ, ଗୋରଖପୁର ଦେଇ ଚଣ୍ଡିଗଡ଼ରୁ ଆସାମକୁ ଯାଉଥିବା ଡିବ୍ରୁଗଡ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଏହି ଦୁର୍ଘଟଣାରେ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଗୋରଖପୁର ରେଳ ବିଭାଗର ମୋତିଗଞ୍ଜ ସୀମାରେ ଏହି ଘଟଣା ଘଟିଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳବାଇର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣା ସମ୍ପର୍କରେ ରେଳବାଇ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। ଏହି ଦୁର୍ଘଟଣା ହେତୁ ଏହି ମାର୍ଗ ଦେଇ ଯାଉଥିବା ୧୧ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ଏବଂ ଦୁଇଟି ଟ୍ରେନକୁ ବାତିଲ କରାଯାଇଛି।

ରେଳ ଅଧିକାରୀଙ୍କ ବ୍ୟତୀତ ପୁଲିସ ପ୍ରଶାସନ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମେଡିକାଲ ଟିମକୁ ମଧ୍ୟ ଡକାଯାଇଛି ଏବଂ କୋଚରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି। ଦୁର୍ଘଟଣା ପରେ ସେହି ରେଳଧାରଣା ଦେଇ ଆସୁଥିବା ଟ୍ରେନ୍ ଗୁଡିକ ବ୍ୟାହତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନର ସଂଖ୍ୟା ହେଉଛି ୧୫୯୦୪। ଜଣେ ଯାତ୍ରୀ କହିଛନ୍ତି ଯେ, ଦିନ ପ୍ରାୟ ୨:୩୦ରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ ଚଣ୍ଡିଗଡ଼ରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ଗୋଣ୍ଡାଠାରୁ ପ୍ରାୟ ୨୦କିଲୋମିଟର ଆଗରେ ଏହି ଦୁର୍ଘଟଣା ଘଟିଥିଲା ​।

Leave a Reply

Your email address will not be published. Required fields are marked *