ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ତାଙ୍କ ଝିଅଙ୍କୁ ପଳାତକ ଘୋଷିତ କଲେ କୋର୍ଟ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ର ସଭାପତି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲକ୍ଷ୍ନୌର ଏକ ଅଦାଲତ ପଳାତକ ଅପରାଧୀ ଘୋଷଣା କରିଛନ୍ତି। ମୌର୍ଯ୍ୟଙ୍କ ଝିଅ ତଥା ପୂର୍ବତନ ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କୁ ମଧ୍ୟ ଅଦାଲତ ପଳାତକ ଅପରାଧୀ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଲକ୍ଷ୍ନୌର ସାଂସଦ-ବିଧାୟକ ଅଦାଲତ ସଂଘମିତ୍ରା ମୌର୍ଯ୍ୟ ଏବଂ ତାଙ୍କ ପିତା ସ୍ୱାମୀପ୍ରସାଦଙ୍କ ସମେତ ତିନି ଜଣଙ୍କ ବିରୋଧରେ ଧାରା ୮୨ ଅନୁଯାୟୀ ଆଦେଶ ଜାରି କରିଛନ୍ତି।ଲକ୍ଷ୍ନୌର ଗଲ୍ଫ ସିଟି ବାସିନ୍ଦା ଦୀପକ କୁମାର ସ୍ୱର୍ଣ୍ଣକର ଏବଂ ସଂଘମିତ୍ରା ମୌର୍ଯ୍ୟଙ୍କ ସହ ଜଡ଼ିତ ବିବାଦୀୟ ମାମଲାରେ ବାପା-ଝିଅଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ୩ ଥର ସମନ, ଦୁଇ ଥର ଜାମିନଯୋଗ୍ୟ ୱାରେଣ୍ଟ ଏବଂ ଜାମିନ ବିହୀନ ୱାରେଣ୍ଟ ଜାରି କରିବା ପରେ ମଧ୍ୟ କୋର୍ଟରେ ହାଜର ହୋଇନଥିବାରୁ ଏସିଜେଏମ୍-୩ ଆଲୋକ ବର୍ମାଙ୍କ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ପଳାତକ ଘୋଷଣା କରିଛନ୍ତି।