ଦେଶବ୍ୟାପୀ ହିଂସା ମଧ୍ୟରେ ସଂରକ୍ଷଣ ନିୟମକୁ ରଦ୍ଦ କଲେ ବାଂଲାଦେଶ ସୁପ୍ରିମକୋର୍ଟ
ଢାକା : ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନ ମଧ୍ୟରେ ଏକ ବଡ଼ ଖବର ଆସିଛି । ବାଂଲାଦେଶ ସୁପ୍ରିମକୋର୍ଟ ୩୦ ପ୍ରତିଶତ ସଂରକ୍ଷଣ ସଂପର୍କିତ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। ୩୦ ପ୍ରତିଶତ ସଂରକ୍ଷଣ ନେଇ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦେଶରେ ସରକାରୀ ଚାକିରିର ୯୩ ପ୍ରତିଶତ ଅସଂରକ୍ଷିତ ରହିବ ବୋଲି କୋର୍ଟ କହିଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସଂରକ୍ଷଣ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଶେଷ ହୋଇନାହିଁ । ଅର୍ଥାତ ଏବେ ବି ୭ ପ୍ରତିଶତ ସଂରକ୍ଷଣ ରହିଛି ।
ହାଇକୋର୍ଟଙ୍କ ସଂରକ୍ଷଣ ସଂପର୍କିତ ରାୟ ପରଠାରୁ ବାଂଲାଦେଶରେ ହିଂସା କାଣ୍ଡ ଘଟିଚାଲିଛି, ଯେଉଁଥିରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ହିଂସା ବ୍ୟାପିବା ପରେ ବାଂଲାଦେଶରୁ ମୋଟ ୭୭୮ ଜଣ ଭାରତୀୟ ଛାତ୍ର ସ୍ୱଦେଶ ଫେରିଛନ୍ତି।
୧୯୭୧ ମସିହାରେ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ଲଢ଼ିଥିବା ଯୁଦ୍ଧ ବୀରଙ୍କ ସମ୍ପର୍କୀୟଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଢାକା ଏବଂ ଅନ୍ୟାନ୍ୟ ସହରର ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଅନେକ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି।