ଭୁବନେଶ୍ବର: ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ । ଜମି କିଣାବିକା ସମସ୍ୟାକୁ ଦୂର କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ପୁରୁଣା ପଞ୍ଜୀକୃତ କବଲା, ଦଲିଲ ସଂଶୋଧନ ପାଇଁ ତହସିଲଦାରଙ୍କୁ ମିଳିଲା କ୍ଷମତା । ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲସର ସଂଶୋଧନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବନ୍ଦୋବସ୍ତ ପ୍ରକ୍ରିୟାରେ ପୂର୍ବରୁ କିଣିଥିବା ଜମିର ଜମି ପଟ୍ଟା ବନ୍ଦୋବସ୍ତ ଅଧିକାରୀ କ୍ରେତାଙ୍କ ନାମରେ କରିଥାନ୍ତି । କିନ୍ତୁ ଯଦି କୌଣସି କାରଣରୁ ବନ୍ଦୋବସ୍ତ ପ୍ରକ୍ରିୟାରେ ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ୍ କରିଥାନ୍ତି ।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାର ମାନେ କ୍ଷମତାପ୍ରାପ୍ତ ହେବେ । ଏହାଦ୍ବାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ ।
