ଭୁବନେଶ୍ବର/ଫୁଲବାଣୀ/ଦାରିଙ୍ଗବାଡ଼ି: ଜାଡ଼ରେ ଥରୁଛି ଓଡ଼ିଶା। ସଂଧ୍ୟା ନ ହେଉଣୁ ଶୀତ ପ୍ରକୋପ ଅନୁଭୂତ ହେଉଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି। ସେହିଭଳି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ରାତି ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି। ଏଥିସହ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ଯାଏଁ କମ୍ ରହିଛି। ତେବେ ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳଜିଲ୍ଲା। ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୮.୫ ଡିଗ୍ରିରେ ପହଞ୍ଚିଛି। ଫଳରେ ଥଣ୍ଡା ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗତ ୬ ତାରିଖରେ ଦାରିଙ୍ଗବାଡ଼ିର ରାତି ତାପମାତ୍ରା ୧୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ମାତ୍ର ୬ ଦିନ ମଧ୍ୟରେ ପାରଦ ୬.୫ ଡିଗ୍ରି ପର୍ଯ୍ୟନ୍ତ ଖସିଛି। ସେହିପରି ଘୁ. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରି ଓ ଫୁଲବାଣୀରେ ୧୦ ଡିଗ୍ରି ରହିଛି। ରାଇକିଆ, ବ୍ରାହ୍ମଣୀଗାଁ, ଦାସିଂବାଡ଼ି, କୋଟଗଡ଼, ସୁବର୍ଣ୍ଣଗିରି, ବେଲଘର, ତୁମୁଡ଼ିବନ୍ଧ, ବାଲିଗୁଡ଼ା, ଖମନଖୋଲ, ବାରଖମା, ବାଲନ୍ଦାପଡ଼ା ଓ ସାଡ଼ିଙ୍ଗିଆ ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ଜଣାପଡ଼ିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଘନକୁହୁଡ଼ି ଆସ୍ତରଣରେ ରହିଥିଲା କନ୍ଧମାଳ ଜିଲ୍ଲା। ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ କଳାହାଣ୍ଡିରେ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିଲା।
