ସରିଲା ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଚୟନ ପ୍ରକ୍ରିୟା । ବରଗଡ଼ ସହର ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ତିନି ଦିନ ଧରି ଚାଲିଥିଲା କଳାକାର ଚୟନ ପ୍ରକ୍ରିୟା । ଶେଷ ଦିବସରେ ୪୪ ଜଣଙ୍କ ମଧ୍ୟରୁ ୩୬ ଜଣ କଳାକାର କଂସ ଭୂମିକା ପାଇଁ ଦେଇଥିଲେ ଅଡିସନ । ମଞ୍ଚ ଉପରେ କଳାକାରଙ୍କ ଅଭିନୟ ବେଶ ଆକର୍ଷଣୀୟ ଥିଲା । ଜଣକ ପରେ ଜଣେ କଳାକାର ମଞ୍ଚ କୁ ଆସି ଅଭିନୟ କରିବା ସହ ବିଚାରକ ମଣ୍ଡଳୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରୀ ୩ ତାରିଖ ଯାଏ୧୧ ଦିନ ଧରି ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ରେ ଚାଲିବ ବରଗଡ଼ ଧନୁଯାତ୍ରା । ବରଗଡ଼ ସହର ମଥୁରା ନଗରୀର ମାନ୍ୟତା ପାଇବାକୁ ଥିବା ବେଳେ ଅମ୍ବାପାଲି ସାଜିବ ଗୋପପୁର । ମହାରାଜ କଂସ ଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ । କୃଷ୍ଣ ପ୍ରେମରେ ବିମୋହିତ ହେବ ଗୋପପୁର । ଦର୍ଶକ ଙ୍କୁ ମନମୁଗ୍ଧ କରିବା ପାଇଁ ଚାଲିଥିବା କଳାକାର ଚୟନ ପ୍ରକ୍ରିୟାରେ ସବୁ ଦିଗକୁ ଧ୍ୟାନ ଦିଆଯାଇଛି । ଯେଉଁ କଳାକାର ଚୟନ ହେବେ ନିଶ୍ଚିୟ ଭାବେ ନିଜ ନିଜର ପରାକାଷ୍ଠା ଦେଖାଇବେ ବୋଲି ଆଶା କରିଥିଲେ ବିଚାରକ ସୁବାସ ଚନ୍ଦ୍ର ପ୍ରଧାନ । ଆସନ୍ତାକାଲି ଦିନ ୧୧ଟାରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଘୋଷଣା ହେବ କଳାକାରଙ୍କ ନାମ । କଂସ ଭୂମିକା ପାଇଁ କିଏ ଚୟନ ହେବେ ତା ଉପରେ ରହିଛି ନଜର ।
