ଆନନ୍ଦପୁର ( ପି ଏ ନ):
କେନ୍ଦୁଝର ଜିଲ୍ଲାର ଅଳତି ସ୍ଥିତ ଦରିଦ୍ର ନାରାୟଣ ବିଦ୍ୟାପୀଠର ଭବ୍ୟ ପ୍ଲାଟିନମ୍ ଜୁବିଲି ଉତ୍ସବର ଦ୍ୱିତୀୟ ଦିନକୁ ଆଜି ବିପୁଳ ଉତ୍ସାହ, ଗୌରବ ଓ ସମୁଦାୟର ସ୍ୱୟଂସ୍ଫୁର୍ତ୍ତ ଯୋଗଦାନ ସହ ଉଦ୍ଯାପନ କରାଗଲା। ୭୫ ବର୍ଷ ଧରି ଶିକ୍ଷା, ସାମାଜିକ ଉନ୍ନୟନ ଓ ଗ୍ରାମୀଣ ସଶକ୍ତିକରଣରେ ଅପୂର୍ବ ଭୂମିକା ନେଇଆସୁଥିବା ଏହି ପ୍ରାଚୀନ ସଂସ୍ଥାନର ଐତିହ୍ୟକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଗଣମାନ୍ୟ, ପୁରାତନ ଛାତ୍ର ଓ ଶୁଭଚିନ୍ତକମାନେ ଏକତ୍ରିତ ହେଲେ।

ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ , ଆଇନ, ପୂର୍ତ୍ତ ଓ ଏକ୍ସାଇଜ୍ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାରୁ ଉତ୍ସବର ଗୌରବ ଅଧିକ ବଢ଼ିଗଲା।
କାର୍ଯ୍ୟକ୍ରମ ରେ କେନ୍ଦୁଝର ଲୋକସଭା ସାଂସଦ ଶ୍ରୀ ଅନନ୍ତ ନାୟକ, ଏବଂ ଖ୍ୟାତନାମା ଶିକ୍ଷାବିଦ୍ ପ୍ରଫେସର ଡାଶ ବେନହୁର ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ। ପୂର୍ବତନ ଘସିପୁରା ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଡିଇଓ ପୂର୍ଣ୍ଣଚନ୍ଦ୍ର ବାରିହା, ସରପଞ୍ଚ ଇଂ. ପ୍ରିୟବ୍ରତ ବରାଲ, ହେଡମାଷ୍ଟର ଶ୍ରୀ ସୁରେନ୍ଦ୍ର ଜେନା ସହିତ ବହୁ ଗଣମାନ୍ୟ ବ୍ୟକ୍ତିମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କଲେ।
ବକ୍ତାମାନେ ବିଦ୍ୟାପୀଠର ୭୫ ବର୍ଷୀୟ ଯାତ୍ରାରେ ଶିକ୍ଷା, ଗ୍ରାମୀଣ ସଶକ୍ତିକରଣ ଓ ସାମାଜିକ ସେବାରେ ତାହାର ଅସାଧାରଣ ଅବଦାନକୁ ଉଲ୍ଲେଖ କରିଥିଲେ.
ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରାତନ ଛାତ୍ରମାନଙ୍କ ସ୍ମୃତିଚାରଣ, ଓ ସ୍ମୃତିଚିହ୍ନ ଅନୁଷ୍ଠାନ ଉତ୍ସବର ଆକର୍ଷଣ ବଢ଼ାଇଦେଇଥିଲା।
ପୂର୍ବତନ ଶିକ୍ଷକମାନେ ଓ ପୁରାତନ ଛାତ୍ରମାନେଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଗଲା। ଶ୍ରୀ ପ୍ରସନ୍ ନାୟକ ଅତିଥି ପରିଚୟ ଦେଇଥିଲେ, କାର୍ଯ୍ୟକ୍ରମଟି ପରିଚାଳନା କରିଥିଲେ ମାଧୁମିତା ମହାନ୍ତି। ଅନ୍ତିମରେ ଓଲ୍ଡ ବୟ୍ସ୍ ଆସୋସିଏସନ୍ ଅଧ୍ୟକ୍ଷ ଶ୍ରୀ ରତିକାନ୍ତ ବରାଲ ଧନ୍ୟବାଦ ଜ୍ଞାପନ ପ୍ରଦାନ କଲେ।
ଦ୍ୱିତୀୟ ଦିନର ପ୍ଲାଟିନମ୍ ଜୁବିଲି ଉତ୍ସବ ଗୌରବ, ଅନୁଭୂତି ଓ ଭବିଷ୍ୟତ ପ୍ରତି ନୂତନ ଅଙ୍ଗୀକାର ସହିତ ସଫଳତାର ସମାପ୍ତି ଲାଭ କଲା।
