ଆସନ୍ତା ୨୬ ମାର୍ଚ୍ଚରୁ ପାକିସ୍ତାନ ସୁପର ଲିଗ୍ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଖେଳାଳିମାନେ ବ୍ୟାଟ୍ ଧରିବା ପୂର୍ବରୁ ଆତଙ୍କବାଦୀମାନେ ନିଜର ‘ୱାର୍ମ-ଅପ୍’ ଶେଷ କରିସାରିଲେଣି । ଜମାତ-ଉଲ-ଅହରାରର ଆତଙ୍କବାଦୀ ସଂଗଠନ ଏକ ଚିଠି ଜାରି କରିଛି । ଏହି ଚିଠିରେ ସେମାନେ କହିଛନ୍ତି— “ବିଦେଶୀ ଖେଳାଳିମାନେ ପାକିସ୍ତାନ ଆସନ୍ତୁ ନାହିଁ, ନହେଲେ ପରିଣାମ ଭୟଙ୍କର ହେବ । ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ସହ ଜଡ଼ିତଏହି ଗୋଷ୍ଠୀ କହିଛନ୍ତି ଯେ, ପାକିସ୍ତାନର ବର୍ତ୍ତମାନର ସୁରକ୍ଷା ସ୍ଥିତି କ୍ରିକେଟ୍ ପାଇଁ ଅନୁକୂଳ ନୁହେଁ ।
ଲାହୋର ଏବଂ କରାଚିରେ ହେବାକୁ ଥିବା ମ୍ୟାଚ୍ ଗୁଡ଼ିକରେ ଅଂଶଗ୍ରହଣ କଲେ ବିଦେଶୀ ଖେଳାଳିଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ କୌଣସି ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ । କେବଳ ସୁରକ୍ଷା ଧମକ ନୁହେଁ, ବରଂ ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଇରାନ-ଇସ୍ରାଏଲ-ଆମେରିକା ସଂଘର୍ଷ ଯୋଗୁଁ ଯାତ୍ରା ସମ୍ବନ୍ଧୀୟ ବହୁ ବାଧାବିଘ୍ନ ସୃଷ୍ଟି ହୋଇଛି । ଏହି କାରଣରୁ ବିଦେଶୀ ଖେଳାଳିମାନେ ପାକିସ୍ତାନ ଯିବାକୁ କୁଣ୍ଠାବୋଧ କରୁଛନ୍ତି । ଇସଲାମାବାଦ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଯଦି ବିଦେଶୀ ଖେଳାଳିମାନେ ଶେଷ ମହୂର୍ତ୍ତରେ ନିଜ ନାଁ ପ୍ରତ୍ୟାହାର କରିନିଅନ୍ତି, ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଏହା ଏକ ବଡ଼ ଝଟକା ହେବ ।
