ଭୁବନେଶ୍ବର: ୨୬ ତାରିଖରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ଯାତ୍ରା ଏବଂ ୩୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ରାଜ୍ୟ ଓ ରାଜ୍ୟବାହାରୁ ସହସ୍ରାଧିକ ଲୋକଙ୍କ ସମାଗମ ହେବ। ଜନଗହଳିକୁ ଦୃଷ୍ଟିରେ ରଖି ଭୁବନେଶ୍ବର-କଟକ ପୁଲିସ କମିସନରେଟ୍ ପକ୍ଷରୁ ଟ୍ରାଫିକ୍ ନିୟମାବଳୀ ଜାରି କରାଯାଇଛି।
ଜାରି ନିୟମାବଳୀ ଅନୁସାରେ, କୌଣସି ପ୍ରକାର ଯାନବାହନ ମାଉସୀ ମା’ ଛକ ଠାରୁ ରଥ ରୋଡ୍ରେ ଯିବାକୁ ଦିଆଯିବ ନାହିଁ। ସେହି ଗାଡ଼ିଗୁଡ଼ିକ ମ୍ୟୁଜିୟମ୍ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବାା ଆସିବା କରିପାରିବେ ନାହିଁ। କୌଣସି ପ୍ରକାର ଯାନବାହାନ ରଥରୋଡ୍ରେ ବାରିକ ସାହି ଗଳି, ମହାରଣାସାହି ଗଳି, ଗୋସାଗରେଶ୍ବର ଛକ, ଶୀତଳଷଷ୍ଠୀ ଗଳି, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଗଳି, ମୁନାମେଡିକାଲ୍ ଗଳି, ପୁନମା ଗେଟ୍ଗଳି ପଟୁ ଓ ଅନ୍ୟ ସାହିରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥରୋଡ୍ ସହ ସଂଯୋଗ ହୋଇଛି, ସେହି ରାସ୍ତା ଅଥବା ଗଳିରୁ ରଥରୋଡ୍ ଦେଇ ଯିବାଆସିବା କରିପାରିବେ ନାହିଁ।
କୌଣସି ପ୍ରକାର ଯାନବାହନ ରଥଖଳା ଠାରୁ ରଥ ରୋଡ୍ରେ ଯିବାକୁ ଦିଆଯିବ ନାହିଁ। ସେହି ଗାଡ଼ିଗୁଡ଼ିକ ରଥଖଳା ଠାରୁ ବାଟ ମହାଦେବ ମନ୍ଦିର ରାସ୍ତା ଦେଇଯାଇପାରିବେ। ଏହାକୁ କଠୋର ଭାବେ ପାଳନ କରିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
